‘ମୁଁ ଆତ୍ମହତ୍ୟା କରିବାକୁ ଭାବୁଛି’, ଯୁବକଙ୍କ ଟୁଇଟ୍ ଦେଖିବା ପରେ ତୁରନ୍ତ ଏଭଳି ପଦକ୍ଷେପ ନେଲା ମୁମ୍ବାଇ ପୁଲିସ
ମୁମ୍ବାଇ: ଜଣେ ଅଜଣା ଯୁବକଙ୍କ ପାଇଁ ମୁମ୍ବାଇ ପୁଲିସ କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜୀବନ ହାରିବାକୁ ଯାଉଥିବା ଜଣେ ଯୁବକଙ୍କୁ ଯେଉଁଭଳି ଭାବରେ ଉପସ୍ଥିତ ବୁଦ୍ଧି ଖଟାଇ ମୁମ୍ବାଇ ପୁଲିସ ବଞ୍ଚାଇଛି, ତାକୁ ନେଇ ଏବେ ଲୋକେ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି। ଟୁଇଟ୍ ମାଧ୍ୟମରେ ଏତେ ସହଜରେ ଜଣଙ୍କ ଜୀବନ ବଞ୍ଚାଇବା ଭଳି ଘଟଣା ପ୍ରଥମ ଥର ଘଟିଥିବା ବେଳେ ଜୀବନ ବଞ୍ଚାଇଥିବା କନଷ୍ଟେବଳ ସମୀର ସାଲଭେଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ମିଳିଥିବା ସୂଚନା ମୁତାବକ, ମୁମ୍ବାଇର ଗୋରେଗାଓଁରେ ରହୁଥିବା ୩୯ବର୍ଷୀୟ ନିଲେଶ ବେଡେକର ହଠାତ୍ ଟୁଇଟ୍ କରି ଆତ୍ମହତ୍ୟା କରିବାକୁ ଚାହୁଥିବା କହିଥିଲେ। ସେ ଲେଖିଥିଲେ, ମୁମ୍ବାଇ ପୁଲିସ, ମୁଁ ଆତ୍ମହତ୍ୟା କରିବାକୁ ଭାବୁଛି। ମୁଁ ଜାଣିବାକୁ ଚାହୁଛି କି, ଏହି ଅପରାଧର ଦଣ୍ଡ କ’ଣ? ଉଇକିପିଡିଆ ଓ ଗୁଗଲରେ ସର୍ଚ୍ଚ କରିବା ପରେ ମୋତେ କିଛି ସୂଚନା ନମିଳିବାରୁ ମୁଁ ଆପଣଙ୍କୁ ପଚାରୁଛି। ନିଲେଶଙ୍କର ଏଭଳି ଟୁଇଟ୍ ଦେଖିବା ପରେ ତୁରନ୍ତୁ ମୁମ୍ବାଇ ପୁଲିସର ଟୁଇଟର ସମ୍ଭାଳୁଥିବା କନଷ୍ଟେବଳ ସମୀର ସାଲଭେ ଜବାବ ରଖିଥିଲେ।

ସେ ଲେଖିଥିଲେ, ହେଲୋ ନିଲେଶ, ସମସ୍ୟା ହେଉଛି ଜୀବନର ଏକ ଭାଗ। କିନ୍ତୁ ସେନେଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେବା ଉଚିତ୍ ନୁହେଁ। ତେବେ, ଆପଣଙ୍କର ଏ ସମସ୍ୟାରେ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରୁଛୁ ବୋଲି ଲେଖିଥିଲେ କନଷ୍ଟେବଳ ସମୀର ସାଲଭେ। ଏହା ସହ ଘର ଠିକଣା ଓ ମୋବାଇଲ ନମ୍ବର ଦେବା ପାଇଁ କହିଥିଲେ। ନିଲେଶ କନଷ୍ଟେବଳ ସମୀର ସାଲଭେଙ୍କ କଥା ମାନି ନିଜର ନାଁ ଓ ଠିକଣା ଦେବା ପରେ ଗୋରେଗାଓଁ ପୁଲିସ ତାଙ୍କ ଘରେ ପହଞ୍ଚି ନିଲେଶଙ୍କ ସହ କଥା ହୋଇଥିଲେ। ଏହା ପରେ ତାଙ୍କୁ ପୁଲିସ ଷ୍ଟେସନ ଅଣାଯାଇ କିଛି ସମୟ ତାଙ୍କ ସହ କଥା ହୋଇଥିଲେ ବରିଷ୍ଠ ପୁଲିସ ଅଧିକାରୀ, ଯାହା ପରେ ସେ ଆତ୍ମହତ୍ୟା କରିବାର ମନୋଭାବକୁ ଦୂର କରିଥିଲେ।