ନୂଆଦିଲ୍ଲୀ: କରୋନା ଭୂତାଣୁ କାରଣରୁ ସାରା ଦେଶରେ ଏବେ ଲକଡାଉନ ଅବଧିକୁ ବଢ଼ାଇଦିଆଯାଇଛି | ଏହି ଲକଡାଉନ ଯୋଗୁଁ ଦିନ ମଜୁରିଆ ଭାବେ କାମ କରୁଥିବା ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | କାମ ନଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡିଛି | ତେବେ ଏସବୁ ସମସ୍ୟାକୁ ସାମ୍ନା ନକରିପାରି ଜଣେ ଯୁବକ ଆତ୍ମହତ୍ୟା ଭଳି ପଦକ୍ଷପ ନେଇଥବା ଜଣା ପଡିଛି | ଗୁରୁଗ୍ରାମରେ ଲକଡାଉନରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜଣେ ଶ୍ରମିକ ଗୁରୁବାର ଅପରାହ୍ନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। କାମ ଅଭାବରୁ ତାଙ୍କ ପାଖରେ ଟଙ୍କା ନଥିଲା | ଏହି କାରଣରୁ ସେ ନିଜ ପତ୍ନୀ ଏବଂ ପିଲାମାନଙ୍କୁ ଖାଇବାକୁ ଦେବାରେ ଅସମର୍ଥ ହୋଇଥିଲେ।
ମିଳିଥିବା ସୂଚନା ମୁତାବକ, ଗୁରୁଗ୍ରାମର ସରସ୍ୱତୀ କୁଞ୍ଜ ଅଞ୍ଚଳରେ ତାଙ୍କ ପତ୍ନୀ ଏବଂ ୪ପିଲାଙ୍କ ସହ ରହୁଥିବା ମୁକେଶ ଗୁରୁବାର ଅପରାହ୍ନରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ମୁକେଶ ଜଣେ ରଙ୍ଗମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ଲକଡାଉନ ପାଇଁ ତାଙ୍କୁ ଘରେ ବସିବାକୁ ପଡିଥିଲା | ଗତ ଏକ ମାସ ଧରି କୌଣସି କାମ ନଥିବା ବେଳେ ପାଖରେ ଥିବା ଟଙ୍କା ଶେଷ ହେବାକୁ ଲାଗିଥିଲା | ଏପ୍ରିଲ ୧୪ରେ ତାଲା ଖୋଲିବ ବୋଲି ଆଶା କରି ବସିଥିବା ମୁକେଶଙ୍କ ଆଶା ଆଶାରେ ହିଁ ରହିଯାଇଥିଲା | ଲକଡାଉନର ଅବଧି ବଢିବା କାରଣରୁ ସେ ନିରାଶ ହୋଇଯାଇଥିଲେ | ପରେ ଘର ଖର୍ଚ୍ଚ ଉଠାଇବା ପାଇଁ ସେ ନିଜ ଫୋନକୁ ୨୫୦୦ଟଙ୍କାରେ ବିକ୍ରି କରିଥିଲେ | ସେହି ଟଙ୍କାରେ ସେ ମଇଦା, ଡାଲି, ଚିନି ସହିତ ଘରକୁ ରାସନ ଆଣିଥିଲେ | ଏହା ବ୍ୟତୀତ ସେ ଖରାରୁ ବଂଚିବା ପାଇଁ ଘରକୁ ଏକ ପଙ୍ଖା ମଧ୍ୟ କିଣି ଆଣିଥିଲେ | ସବୁ ପରେ ୪୦୦ଟଙ୍କା ପତ୍ନୀକୁ ଦେଇ ମୁକେଶ ନିଜ ଶୋଇବା ଘରକୁ ଯାଇ ଆତ୍ମହତ୍ୟା କରିଥିଲେ ବୋଲି ଜଣା ପଡିଛି |