ରାଜସ୍ଥାନ: ଦୀର୍ଘ ୮ମାସ ପରେ ସାଉଦି ଆରବରୁ ଘରକୁ ବେଳେ ସଡ଼କ ଦୁର୍ଘଟଣାରେ ପୁଅର ମୃତ୍ୟୁ ହେବା ଖବର ପାଇବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। 

Advertisment

ସୂଚନାଯୋଗ୍ୟ, ଝୁନଝୁନୁ ଜିଲ୍ଲାର ମଣ୍ଡାୱା ଥାନା ଅଞ୍ଚଳର ଢାକାର ବସ୍ ଷ୍ଟାଣ୍ଡ ନିକଟରେ ଏକ ଡିଜାୟାର ଟ୍ୟାକ୍ସି ଏବଂ ଏକ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। 

ଏହି ଦୁର୍ଘଟଣାରେ ସିକର ଜିଲ୍ଲାର ବେରି (ଭଜନଗଡ଼) ନିବାସୀ ଓମ ପ୍ରକାଶ ଜାଙ୍ଗିଡ଼ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଓମପ୍ରକାଶ ଗତ ୨୦ ବର୍ଷ ଧରି ସାଉଦି ଆରବରେ ବଢ଼େଇ ଭାବରେ କାମ କରି ଆସୁଥିଲେ। ଦୀର୍ଘ ଆଠମାସ ପରେ ଅନେକ ଅଶା ନେଇ ଓ ଖୁସିର ସହ ସେ ନିଜ ଘରକୁ ଫେରୁଥିଲେ।

ଦୁର୍ଘଟଣାରେ ଓମ ପ୍ରକାଶଙ୍କ ସହ ଯାତ୍ରା କରୁଥିବା ମହମ୍ମଦ ଉମ୍ମେଦ ଏବଂ ଟ୍ୟାକ୍ସି ଚାଳକ ଆହତ ହୋଇଛନ୍ତି। ସେହିପରି ଜଣେ ବାଇକ୍ ଆରୋହୀ ମଧ୍ୟ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି। 

ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ମାଣ୍ଡୱା କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତର ଓମ ପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ। 

ଓମପ୍ରକାଶ ଜାଙ୍ଗିଡ଼ ଗତ ୨୦ ବର୍ଷ ଧରି ସାଉଦି ଆରବରେ କାମ କରୁଥିଲେ ଏବଂ ୨୦୨୪ ମଇ ମାସରେ ଛୁଟିରେ ଭାରତ ଆସିଥିଲେ।  ୨୦୨୪ ଜୁନ ମାସରେ ସେ ସାଉଦି ଆରବ ଫେରି ଯାଇଥିଲେ ଏବଂ ପ୍ରାୟ ୮ ମାସ ପରେ ଏବେ ସେ ଘରକୁ ଫେରୁଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ଘରକୁ ପହଞ୍ଚିବା ପୂର୍ବରୁ ହିଁ ଯମ ତାଙ୍କୁ ଟାଣି ନେଇଛି।  ଓମପ୍ରକାଶଙ୍କ ଆସିବା ବାଟକୁ ଚାହୁଁ ବସିଥିବା ପରିବାରଲୋକ ପୁଅର ମୃତ୍ୟୁ ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।