ଜାକିର ନାଇକର ଭିଡିଓ ଦେଖୁଥିଲା ଗୋରଖନାଥ ମନ୍ଦିରରେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୁକ୍ତ

ଗୋରଖପୁର: ଗୋରଖପୁରର ପ୍ରସିଦ୍ଧ ଗୋରଖନାଥ ମନ୍ଦିରର ସୁରକ୍ଷାକର୍ମୀଙ୍କ ଉପରେ ଗତ ରବିବାର ଜଣେ ଯୁବକ ଆକ୍ରମଣ କରିଥିଲା। ରବିବାର ସନ୍ଧ୍ୟାରେ ଗୋରଖନାଥ ମନ୍ଦିରର ଦକ୍ଷିଣ ଗେଟରେ ମୁତୟନ ଥିବା ପୁଲିସକର୍ମୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ଗିରଫ ଅଭିଯୁକ୍ତ ଆଇଆଇଟି ବମ୍ବେ ଛାତ୍ର ଅହମ୍ମଦ ଆବ୍ବାସ ମୁର୍ତାଜା। ଗିରଫ ପରେ ଅଭିଯୁକ୍ତ ମୁର୍ତାଜା ଇସ୍‌ଲାମିକ୍‌ ରିସର୍ଚ୍ଚ ଫାଉଣ୍ଡେସନ (ଆଇଆରଏଫ୍) ସଂସ୍ଥାପକ ଜାକିର ନାଇକଙ୍କ ଭିଡିଓ ଦେଖୁଥିଲା ବୋଲି ଜଣାପଡ଼ିଛି। ତଦନ୍ତ କରୁଥିବା ଅଧିକାରୀ କହିଛନ୍ତି ଯେ, ମୁର୍ତାଜା ହିନ୍ଦୁ ଓ ହିନ୍ଦୁଙ୍କ ଦେବତା ଏବଂ ଅନ୍ୟ ଧର୍ମ ବିରୋଧରେ ଆପତ୍ତିଜନକ ପୋଷ୍ଟ କରୁଥିବା ଜାକିର ନାଇକର ଭିଡିଓ ଦେଖୁଥିଲା। ଏହି ଭିଡିଓ ଦେଖି ସେ ଏଭଳି ଆକ୍ରମଣ କରିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

ଉତ୍ତରପ୍ରଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ) ଅବନିଶ ଅବସ୍ତି କହିଛନ୍ତି, ଏହି ଘଟଣାକୁ ନେଇ ସାମ୍ନାକୁ ଆସୁଥିବା କୌଣସି ଜିନିଷକୁ ଅଣଦେଖା କରାଯାଇପାରିବ ନାହିଁ। ମୁର୍ତାଜାର ନ୍ୟାୟିକ ହେପାଜତ ଶେଷ ହେବା ପରେ ତାକୁ ପୁଲିସ ରିମାଣ୍ଡରେ ନିଆଯିବ। ଗୋରଖପୁର ମନ୍ଦିରରେ ଘଟିଥିବା ଘଟଣା ପରେ ଏବେ ଧାର୍ମିକ ସ୍ଥାନରେ ସୁରକ୍ଷା ବୃଦ୍ଧି କରାଯାଉଛି। ଏହି ମାମଲାକୁ ଆତଙ୍କବାଦ ବିରୋଧୀ ସ୍କ୍ବାଡ(ଏଟିଏସ)କୁ ସ୍ଥାନାନ୍ତର କରାଯାଇଛି। ଏଟିଏସ ଟିମ୍ ମୁର୍ତାଜାର ଲାପଟପ୍ ଏବଂ ମୋବାଇଲ୍ ଫୋନ ନେଇ ମାମଲାର ଅନୁସନ୍ଧାନ କରୁଛି। ଏଥିରୁ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିପାରେ ବୋଲି ଆଶା କରାଯାଉଛି।

ଏହା ପୂର୍ବରୁ ପଚରାଉଚରା ବେଳେ ଅଭିଯୁକ୍ତ ମୁର୍ତାଜା କହିଥିଲା ଯେ, ଆଲ୍ଲାଙ୍କ ମାର୍ଗରେ ଜୀବନ ଦେବା ଭଳି ଅନୁଭବ କରିବାରୁ ମୁଁ ପ୍ରସିଦ୍ଧ ଗୋରଖନାଥ ମନ୍ଦିର ଯାଇଥିଲି। ସେଠାକୁ ଯିବା ପରେ ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀମାନେ ମୋତେ ଦେଖିବାରୁ ରାଗରେ ମୁଁ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲି।

ତେବେ ଜାକିର ନାଇକ ହେଉଛନ୍ତି ଇସ୍‌ଲାମିକ୍‌ ରିସର୍ଚ୍ଚ ଫାଉଣ୍ଡେସନ (ଆଇଆରଏଫ୍)ର ସଂସ୍ଥାପକ। ସେ ଯୁବକମାନଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରନ୍ତି ଏବଂ ଆତ୍ମଘାତୀ ବୋମା ବିସ୍ଫୋରଣକୁ ସଠିକ୍ ବୋଲି ଦର୍ଶାଇଥାଆନ୍ତି । ହିନ୍ଦୁ ଓ ହିନ୍ଦୁଙ୍କ ଦେବତା ଏବଂ ଅନ୍ୟ ଧର୍ମ ବିରୋଧରେ ଆପତ୍ତିଜନକ ପୋଷ୍ଟ କରନ୍ତି, ଯାହା ଅନ୍ୟ ଧର୍ମମାନଙ୍କ ପାଇଁ ଅପମାନଜନକ ହୋଇଥାଏ। ନାଇକ ଭାରତ ଓ ବିଦେଶରେ ରହୁଥିବା ମୁସଲିମ ଯୁବକ ଓ ଆତଙ୍କବାଦୀମାନଙ୍କୁ ଆତଙ୍କବାଦୀ କାର୍ଯ୍ୟ କରିବା ପାଇଁ ପ୍ରେରିତ କରି ଆସୁଛନ୍ତି। ଗୁଜରାଟ, କର୍ଣ୍ଣାଟକ, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ, କେରଳ, ମହାରାଷ୍ଟ୍ର ଓ ଓଡ଼ିଶାରେ ଆଇଆରଏଫର ସଦସ୍ୟମାନେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି।

ସମ୍ବନ୍ଧିତ ଖବର