ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟଙ୍କ ଅନୁମୋଦନ ପାଇବା ପରେ ଜଣେ ‘ବାଇପୋଲାର୍ ଡିଜ୍ଅର୍ଡର୍’ ଥିବା ବ୍ୟକ୍ତି ‘ଦିଲ୍ଲୀ ଜୁଡିସିଆଲ୍ ସର୍ଭିସେସ୍’ରେ ବିଚାରପତି ହେବାକୁ ଯାଉଛନ୍ତି। ମାନସିକ ଅସୁସ୍ଥତା ‘ବାଇପୋଲାର୍ ଡିଜ୍ଅର୍ଡର୍’ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ କ୍ରମାକତ ଦୀର୍ଘ ଦିନ ଧରି ବିଷାଦଗ୍ରସ୍ତ ରହିବା ସହ ପୁଣି କିଛି ଦିନ ପ୍ରଫୁଲ୍ଲ ରହନ୍ତି।
ମେଡିକାଲ୍ ବୋର୍ଡ ଦେଇଥିବା ରିପୋର୍ଟକୁ ଆଧାର କରି ସୋମବାର ଦିନ ବିଚାରପତି କିଷନ୍ କୌଲ୍ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ରାୟ ଶୁଣାଇ କହିଛନ୍ତି, ଭବ୍ୟ ନୈନ୍ଙ୍କୁ ଜାତୀୟ ରାଜଧାନୀରେ ଥିବା କୌଣସି ଡିଷ୍ଟ୍ରିକ୍ଟ୍ କୋର୍ଟରେ ବିଚାରପତି ଭାବେ କର୍ତ୍ତବ୍ୟ ତୁଲାଇବାରେ କୌଣସି ବାଧକତା ନାହିଁ।
ମାନସିକ ରୋଗ, ଶାରୀରିକ ଭେଷଜ ଏବଂ ଭିନ୍ନକ୍ଷମ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ମେଡିକାଲ୍ ବୋର୍ଡ ନୈନ୍ଙ୍କ ସହ କଥାବାର୍ତ୍ତା କରିବା ସହ ତାଙ୍କର ମେଡିକାଲ୍ ରିପୋର୍ଟ ଯାଞ୍ଚ କରିସାରିବା ପରେ ଉକ୍ତ ଖଣ୍ଡପୀଠ ସ୍ବୀକୃତ ପଦ୍ଧତିରେ ମନୋନୀତ ହୋଇଥିବା ନୈନ୍ ନ୍ୟାୟିକ ଅଧିକାରୀ ପଦବୀରେ ରହି ଦାୟିତ୍ବ ତୁଲାଇ ନ ପାରିବା ଭଳି କୌଣସି ସମସ୍ୟା ନାହିଁ।
ସୂଚନାଯୋଗ୍ୟ, ‘ଦିଲ୍ଲୀ ଜୁଡିସିଆଲ୍ ସର୍ଭିସ୍-୨୦୧୮’ ପରୀକ୍ଷାରେ ସଫଳତା ହାସଲ କରିବା ପରେ ନୈନ୍ ଭିନ୍ନକ୍ଷମ ବର୍ଗରେ ଚାକିରି ପାଇଁ ଆବେଦନ କରିଥିଲେ। ସାକ୍ଷାତ୍କାର ସମେତ ସେ ସମସ୍ତ ୩ଟି ପର୍ଯ୍ୟାୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ସୁଦ୍ଧା ଦିଲ୍ଲୀ ହାଇକୋର୍ଟ ପ୍ରଶାସନ ୨୦୧୯ ମେ’ରେ ତାଙ୍କର ପ୍ରାର୍ଥୀତ୍ବ ନାକଚ କରିଥିଲା।