ଭୁବନେଶ୍ୱର/ନୂଆଦିଲ୍ଲୀ : ପୁରୀ ଜିଲ୍ଲାସ୍ଥିତ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ଲୋକସେବକ ମଣ୍ଡଳୀକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜାତୀୟ ଶିକ୍ଷାର ବିକାଶ ଉଦ୍ଦେଶ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପରିକଳ୍ପନାକୁ ସାକାର କରିବାକୁ ହେଲେ ସତ୍ୟବାଦୀ ବନ ବିଦ୍ୟାଳୟକୁ ସରକାରୀ ଶିକୁଳିରୁ ମୁକ୍ତ କରିବାକୁ ହେବ। ଏହାକୁ ସାମାଜିକ ଉପକ୍ରମ ବା ‘କମନ୍ ପ୍ରପଟି ରିସୋର୍ସ’ ଭାବେ ରୂପାନ୍ତରିତ କରିବାର ଆବଶ୍ୟକତା ରହିଛି। ଏହି ବିଦ୍ୟାଳୟକୁ ଲୋକସେବକ ମଣ୍ଡଳୀ ହାତରେ ନ୍ୟସ୍ତ କରାଗଲେ ପ୍ରାୟ ୧୧୩ ବର୍ଷର ଏହି ପୁରୁଣା ଅନୁଷ୍ଠାନର ପୁନରୁଦ୍ଧାର ହୋଇପାରିବ। ଆଉ ମାତ୍ର ୧୩ ବର୍ଷ ପରେ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ଏହି ସମୟ ମଧ୍ୟରେ ଓଡ଼ିଆ ଜାତିକୁ ପୁନଃ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ସଂକଳ୍ପ ନେବାକୁ ପଡ଼ିବ। ଶିକ୍ଷା ହିଁ ଏ ଦିଗରେ ମାର୍ଗଦର୍ଶନ କରାଇବ। ଏକତା ଦକ୍ଷତା ବିକାଶର ଏନ୍ତୁଡ଼ିଶାଳ ବୋଲାଉଥିବା ବକୁଳ ବନ ବିଦ୍ୟାଳୟ ହିଁ ଏକବିଂଶ ଶତାବ୍ଦୀର ମାନବ ତିଆରିର ମୂଳଦୁଆ ପକାଇଥିଲା। ଏହି ବିଦ୍ୟାଳୟ ପୁନରୁଦ୍ଧାର ହେଲେ ଉତ୍କଳମଣି ଗୋପବନ୍ଧୁ ଓ ଲାଲା ଲାଜପତ ରାୟଙ୍କ ଭଳି ମହାପୁରୁଷମାନେ ଦେଖିଥିବା ସ୍ୱପ୍ନ ସାକାର ହୋଇପାରିବ।
ରାଜ୍ୟରେ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଗୋପବନ୍ଧୁଙ୍କ ପରିକଳ୍ପନା ଆଜି ବି କେତେ ପ୍ରାସଙ୍ଗିକ, ତାହା ବିଚାର କରିବାର ଆବଶ୍ୟକତା ରହିଛି। ବକୁଳ ବନ ପରିସରରେ ଗଢି ଉଠିଥିବା ସତ୍ୟବାଦୀ ବନ ବିଦ୍ୟାଳୟ ଆଜି ବି ଓଡ଼ିଶାର ଏକ ପ୍ରମୁଖ ଐତିହ୍ୟ ସ୍ଥଳ ତଥା ଓଡ଼ିଶାର ଶିକ୍ଷା ବିକାଶରେ ଏକ ମାଇଲଖୁଣ୍ଟ। ମାତ୍ର ଦୁଃଖର କଥା ପଞ୍ଚସଖା ଯୁଗର ଅନେକ ବିରଳ ସ୍ମାରକୀ ଏବେ ମଧ୍ୟ ବକୁଳ ବନ ଭିତରେ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଜାତୀୟ ଶିକ୍ଷା ନୀତି -୨୦୨୦ ବିକଶିତ ଭାରତ ନିର୍ମାଣର ଏକ ପ୍ରମୁଖ ମାଧ୍ୟମ ହେବାକୁ ଯାଉଛି। ଏହି ଶିକ୍ଷା ନୀତିର ସମ୍ପର୍କ ଓଡ଼ିଶାର ସତ୍ୟବାଦୀ ବନ ବିଦ୍ୟାଳୟ ସହ ଯୋଡ଼ି ହୋଇଛି।
ଛାତ୍ରଛାତ୍ରୀଙ୍କ ମନରେ ଜାତୀୟ ଚେତନା ଜାଗ୍ରତ କରିବା ଓ ଭବିଷ୍ୟତରେ ସେମାନଙ୍କୁ କୁଶଳୀ ଓ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟ ସତ୍ୟବାଦୀ ବନ ବିଦ୍ୟାଳୟର ଥିଲା। ସେହି ସମାନ ଉଦ୍ଦେଶ୍ୟରେ ନୂଆ ଶିକ୍ଷା ନୀତି ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରି ନୂଆ ଯୁବ ନେତୃତ୍ୱ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି। ଗୋପବନ୍ଧୁଙ୍କ ମତରେ ଶିକ୍ଷା କୌଣସି ପ୍ରକାର ଶାସନ ଶିକୁଳିରେ ଆବଦ୍ଧ ହେବା ଅନୁଚିତ। ସତ୍ୟବାଦୀ ବିଦ୍ୟାଳୟ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତବର୍ଷର ଶିକ୍ଷା କ୍ଷେତ୍ରରେ ଏକ ଅନନ୍ୟ ପ୍ରୟୋଗଶାଳା ହେବାର ସାମର୍ଥ୍ୟ ବହନ କରେ। ମାତ୍ର ସରକାରୀ ଶିକୁଳି ବନ୍ଧା ହୋଇଥିବା ଯାଏ ଏହା ସମ୍ଭବ ହେଲା ପରି ଲାଗୁ ନ ଥିବା ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।