ନୂଆଦିଲ୍ଲୀ: ରାଜ୍ୟସଭାର ଶୂନ୍ୟକାଳରେ ଆଜି ବିଜେଡି ସାଂସଦ ମାନସ ରଂଜନ ମଙ୍ଗରାଜ ଉପକୂଳ ରାଜପଥ ପ୍ରସଙ୍ଗ ଉଠାଇଛନ୍ତି। ସାଂସଦ ଶ୍ରୀ ମଙ୍ଗରାଜ ଉପକୂଳ ରାଜପଥ ସ୍ଥିତି ତଥା ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ କେବେ ଆସିବ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ। ସେ କହିଥିଲେ, ଉପକୂଳ ରାଜପଥର କ୍ରିୟାନ୍ବୟନରେ ଓଡ଼ିଶାରେ ବାଣିଜ୍ୟ, ପର୍ଯ୍ୟଟନ,‌ ଯୋଗାଯୋଗ ଏବଂ ଶିଳ୍ପ କ୍ଷେତ୍ରରେ ବ୍ୟାପକ ବିକାଶ ହେବ। କେନ୍ଦ୍ର ସରକାର ଓଡ଼ିଶାରେ ୩୪୭ କିଲୋମିଟର ଉପକୂଳ ରାଜପଥ ନିର୍ମାଣ ପାଇଁ ୨୦୧୫ରେ ଘୋଷଣା କରିଥିଲେ। ପ୍ରସ୍ତାବିତ ରାଜପଥ ୭ଟି ଜିଲ୍ଲାକୁ ଯୋଡ଼ିବାକୁ ଥିବାବେଳେ ଏହି କାର୍ଯ୍ୟ‌ ଅହେତୁକ ବିଳମ୍ବ ହୋଇଛି। ଇତିମଧ୍ୟରେ ୮ ବର୍ଷ ବିତିଯାଇଥିଲେ ହେଁ ପ୍ରକଳ୍ପ କାର୍ଯ୍ୟ ଏଯାଏ ଆରମ୍ଭ ହୋଇ ନଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ଶ୍ରୀ ମଙ୍ଗରାଜ କହିଥିଲେ, ପ୍ରକଳ୍ପ ରାମେଶ୍ବରରୁ ରତନପୁର ଏବଂ ରତନପୁରରୁ ଦୀଘା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ପ୍ରକଳ୍ପକୁ ଚାରିଟି ପ୍ୟାକେଜ୍‌ ଅଧୀନରେ କାର୍ଯ୍ୟକାରୀ କରିବା ଯୋଜନା ରହିଥିଲାବେଳେ ପ୍ରଥମ ଦୁଇଟି ପ୍ୟାକେଜକୁ କେନ୍ଦ୍ର ସରକାରଙ୍କ ଦ୍ବାରା କୌଣସି କାରଣ ଦର୍ଶା ନଯାଇ ବାତିଲ କରିଥିଲେ। ଅନ୍ୟ ଦୁଇଟି ପ୍ୟାକେଜ ଅନୁମୋଦନ ହାସଲ ହୋଇଥିବାବେଳେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ମଂଜୁରି ନ ମିଳିବାରୁ ପ୍ରକଳ୍ପ ଝୁଲି ରହିଲା। ଚଳିତ ବର୍ଷ ଅଗଷ୍ଟରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ମଂଜୁରି ମିଳିଥିଲା। ଏହା ସତ୍ତ୍ବେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ତତ୍ପରତା ପ୍ରକାଶ ପାଇନାହିଁ ବୋଲି ମାନସ ‌କ୍ଷୋଭ ପ୍ରକାଶ କରିଥିଲେ। ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ଆରମ୍ଭ ପାଇଁ ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ।

Advertisment

ସେହିଭଳି ବିଜେଡି ସାଂସଦ ଡ.ପ୍ରଶାନ୍ତ ନନ୍ଦ ଶୂନ୍ୟକାଳରେ ଟ୍ରେନରେ ଯାତ୍ରା କରୁଥିବା ଗୁରୁତର ରୋଗୀଙ୍କ ପାଇଁ ସ୍ବତନ୍ତ୍ର ମେଡିକାଲ କୋଚ୍‌ର ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଟ୍ରେନ୍‌ରେ ଯାତ୍ରା କରୁଥିବା ଗୁରୁତର ରୋଗୀମାନଙ୍କ ପାଇଁ ତତ୍କାଳ ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରୁ ନଥିବାରୁ ସେମାନଙ୍କ ଜୀବନ ପ୍ରତି କିଭଳି ବିପଦ ରହୁଛି ସେ ନେଇ ଡ.ନନ୍ଦ ଏକାଧିକ ଦୃଷ୍ଟାନ୍ତ ରଖିଥିଲେ। ସେ କହିଥିଲେ, ୧୮ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଚଳାଚଳ କରୁଥିବା ଟ୍ରେନ୍‌ ମାନଙ୍କରେ ସ୍ବତନ୍ତ୍ର ମେଡିକାଲ କୋଚ୍‌ ବ୍ୟବସ୍ଥା କରାଯାଉ। ସ୍ବତନ୍ତ୍ର ମେଡିକାଲ କୋଚ୍‌ରେ ଦୁଇଟି ଆଇସିୟୁ, ଗୋଟିଏ ଭେଣ୍ଟିଲେଟର୍‌, ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ, ଡାକ୍ତର ଓ ନର୍ସମାନଙ୍କ ବ୍ୟବସ୍ଥା ପାଇଁ ସେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଡ. ପ୍ରଶାନ୍ତ ନନ୍ଦଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିବା ପ୍ରସଙ୍ଗକୁ ସଦନରେ ଅନେକ ସାଂସଦ ସମର୍ଥନ କରିଥିଲେ।