ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଜେପିର ଐତିହାସିକ ବିଜୟ ହୋଇଛି। ୟୁପିରେ ମୋଦୀ-ଯୋଗୀ ମ୍ୟାଜିକ୍‌ କାମ ଦେଇଛି ଏବଂ ଯୋଗୀ ଆଦିତ୍ୟନାଥ ପୁଣିଥରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ। ଦୀର୍ଘ ୩୭ ବର୍ଷ ମଧ୍ୟରେ ବିଜେପି ପ୍ରଥମ ଥର ପାଇଁ ଲଗାତାର ଦ୍ବିତୀୟ ଥର କ୍ଷମତାକୁ ଆସିଛି। ଯୋଗୀ ୩୭ ବର୍ଷର ରେକର୍ଡ ଭାଙ୍ଗି ଏହି ସଫଳତା ହାସଲ କରିଛନ୍ତି। ବିଶେଷଜ୍ଞଙ୍କ ଆକଳନକୁ ପଛରେ ପକାଇ ଉତ୍ତରପ୍ରଦେଶରେ ମୋଦୀ-ଯୋଗୀ ଲହର ଚମକପ୍ରଦ ସଫଳତା ଆଣିଛି। ରାଜ୍ୟରେ ୪୦୩ ଆସନରୁ ବି‌ଜେପି ୨୭୪ ଆସନରେ ବିଜୟୀ/ଅଗ୍ରଣୀ ଥିବାବେଳେ ସପା ୧୨୪ ଆସନରେ ବିଜୟୀ/ଅଗ୍ରଣୀ ରହିଛି। କଂଗ୍ରେସକୁ ୨, ବିଏସ୍‌ପି ୧ ଏବଂ ଅନ୍ୟମାନଙ୍କୁ ଗୋଟିଏ ଆସନ ମିଳିଛି। ଦୀର୍ଘ ୭୦ ବର୍ଷ ମଧ୍ୟ‌ରେ ଯୋଗୀ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ୫ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ଲଗାତାର ଦ୍ବିତୀୟ ଥର ପାଇଁ ନିର୍ବାଚନ ଜିତିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଅର୍ବାନ୍‌ ଆସନରୁ ବିଜୟୀ ହୋଇଛନ୍ତି। ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଉତ୍ତରପ୍ରଦେଶରେ ପରିବର୍ତ୍ତନ ଆଣିବେ ବୋଲି ଅନେକ ବିଶେଷଜ୍ଞ ଆକଳନ କରିଥିଲେ। କିନ୍ତୁ ଏହା ଫେଲ୍‌ ମାରିଲା। ବି‌ଜେପିର ରଣନୀତି ଆଗରେ ଅଖିଳେଶଙ୍କ ମେଣ୍ଟର ରଣନୀତି କାମ ଦେଲାନି। ଗତ ନିର୍ବାଚନ ତୁଳନାରେ ବିଜେପି ୫୪ ଆସନ କମ୍‌ ପାଇଥିଲେ ମଧ୍ୟ ଅନେକ ସଙ୍କଟ ମଧ୍ୟରେ ଯୋଗୀ ତାଙ୍କ ଗାଦି ସୁରକ୍ଷିତ ରଖି ପାରିଛନ୍ତି। ଚାଷୀ ଆନ୍ଦୋଳନଠାରୁ ଆରମ୍ଭ କରି କରୋନା ମୁକାବିଲା ନେଇ ଯୋଗୀଙ୍କୁ କଡ଼ା ସମା‌ଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହା ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଥିଲା। କିନ୍ତୁ ଯୋଗୀ-ମୋଦୀଙ୍କ ସଫଳ ରଣନୀତି ଏସବୁର ମୁକାବିଲା କରିଥିଲା। ୨୦୧୭ରେ ବିଜେପି ୪୦୩ ଆସନରୁ ୩୧୨ ଆସନରେ ଜିତିଥିଲା। ଚଳିତ ନିର୍ବାଚନରେ ବିଜେପିର ଆସନ ସଂଖ୍ୟା କମିଥିଲେ ମଧ୍ୟ ଏହାର ମହତ୍ତ୍ବ ବିଜେପି ପାଇଁ ସର୍ବାଧିକ । କେନ୍ଦ୍ର-ରାଜ୍ୟ ଡବଲ୍‌ ଇଂଜିନ୍‌ରେ ଏହା ଇନ୍ଧନ ଭରିବାରେ ସକ୍ଷମ ହୋଇଛି।

Advertisment

ବିଜେପିର ଭୋଟ୍‌ ୫ ବର୍ଷରେ ୫% ବଢ଼ିଛି
ଉତ୍ତରପ୍ରଦେଶରେ ବିଜେପି ୨୦୧୭ ବିଧାନସଭା ର୍ନିବାଚନରେ ୩୯.୬ ପ୍ରତିଶତ ଭୋଟ୍‌ ହାସଲ କରିଥିବା ବେଳେ ୨୦୨୨ରେ ଏହା ୪୪.୬ ପ୍ରତିଶତକୁ ବୃଦ୍ଧି ପାଇଛି। ୫ ବର୍ଷରେ ବିଜେପିର ଭୋଟ୍‌ ପ୍ରତିଶତ ୫ ପ୍ରତିଶତ ବଢ଼ିବା ଦଳ ପାଇଁ ବହୁତ ବଡ଼ ଆଶ୍ବସ୍ତିର କାରଣ ପାଲଟିଥିଲେ ମଧ୍ୟ ପୂର୍ବ ନିର୍ବାଚନ ତୁଳନାରେ ଦଳ ୪୮ ଆସନ ହରାଇଛି । ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ମେଣ୍ଟକୁ ୮୦ ଆସନର ଫାଇଦା ହୋଇଛି।

ଉତ୍ତର ପ୍ରଦେଶ-୪୦୩
ଦଳ ୨୦୧୭ (ପାଇଥିବା ଆସନ) ୨୦୨୨ ବିଜୟ/ ଅଗ୍ରଣି
ବିଜେପି୩୧୨, ୨୭୩
ଏସ୍‌ପି                            ୪୭, ୧୨୪
ବି‌ଏସ୍‌ପି                          ୧୯, ୧
କଂଗ୍ରେସ                          0୭, ୨
ଅନ୍ୟାନ୍ୟ                          ୧୮, ୨

ପଞ୍ଜାବ-୧୧୭
ଦଳ ୨୦୧୭ (ପାଇଥିବା ଆସନ) ୨୦୨୨ ବିଜୟ/ ଅଗ୍ରଣି
କଂଗ୍ରେସ                          ୭୬, ୧୮
ଆପ୍‌                               ୨୨, ୯୨
ଅକାଳୀ                            ୧୩, ୪
ବିଜେପି                             ୦୩, ୨
ଅନ୍ୟାନ୍ୟ                            ୦୨, ୧

ଗୋଆ-୪୦
ଦଳ ୨୦୧୭ (ପାଇଥିବା ଆସନ) ୨୦୨୨ ବିଜୟ/ ଅଗ୍ରଣି
କଂଗ୍ରେସ                         ୧୭, ୧୨
ବିଜେପି                           ୧୩, ୨୦
ଅନ୍ୟାନ୍ୟ                          ୧୦, ୮

ମଣିପୁର-୬୦
ଦଳ ୨୦୧୭ (ପାଇଥିବା ଆସନ) ୨୦୨୨ ବିଜୟ/ ଅଗ୍ରଣି
ବିଜେପି                          ୨୮, ୩୨
କଂଗ୍ରେସ                         ୨୧, ୫
ଏନ୍‌ପିପି                          ୦୪, ୭

ଉତ୍ତରାଖଣ୍ଡ-୭୦
ଦଳ ୨୦୧୭ (ପାଇଥିବା ଆସନ) ୨୦୨୨ ବିଜୟ/ ଅଗ୍ରଣି
ବିଜେପି                            ୫୦ ,୪୮
କଂଗ୍ରେସ                           ୧୧, ୧୮
ଅନ୍ୟାନ୍ୟ                              ୨, ୪