ଆଧାର କାର୍ଡ ନ ଦେଖାଇଲେ କିଣିପାରିବେନି କଟୁରୀ, କାହିଁକି ହେଲା ଏଭଳି ନିୟମ ଜାଣନ୍ତୁ

ପୁଣେ: ଆଧାର କାର୍ଡ ଦେଖାଇଲେ ହିଁ କଟୁରୀ ବିକ୍ରି କର | ହାର୍ଡୱେର ଦୋକାନ କରିଥିବା ଦୋକାନୀମାନଙ୍କୁ କିଛି ଏଭଳି ନିର୍ଦ୍ଦେଶ ଦେଇଛି ପୁଲିସ | ଯଦି କେହି ଆଧାର କାର୍ଡ ଦେଖାଉନାହାନ୍ତି ଓ ବିଶ୍ୱାସଯୋଗ୍ୟ ହେଉନାହାନ୍ତି ତେବେ କଟୁରୀ ବିକ୍ରି କରନାହିଁ | ମହାରାଷ୍ଟ୍ରର ପୁଣେ ପୁଲିସ ଏବେ ଏଭଳି କିଛି ନିର୍ଦ୍ଦେଶନାମା ଜାରି କରିଛି | ବାସ୍ତବରେ କିଛିଦିନ ହେଲା ଅପରାଧୀମାନେ ଲୋକଙ୍କୁ ଭୟଭୀତ କରିବା ତଥା ଆକ୍ରମଣ କରିବା ପାଇଁ କଟୁରୀ ବ୍ୟବହାର କରୁଛନ୍ତି | ଏଭଳି ସ୍ଥିତିରେ କୃଷି ଉଦ୍ଦେଶ୍ୟରେ ବ୍ୟବହୃତ କଟୁରୀ କିଣିବା ପାଇଁ କ୍ରେତାଙ୍କ ‘ଆଧାର କାର୍ଡ’ ବିବରଣୀକୁ ବାଧ୍ୟତାମୂଳକ ଭାବେ ଯାଞ୍ଚ କରିବାକୁ ପୁଲିସ ନିର୍ଦ୍ଦେଶ ଦେଇଛି। ଗତ କିଛି ମାସ ମଧ୍ୟରେ ଏଭଳି ଅନେକ କେସ ସାମ୍ନାକୁ ଆସିଥିବାରୁ ପୁଲିସ ଅଧିକାରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି |

ମିଳିଥିବା ସୂଚନା ମୁତାବକ ପୁଣେ ସହରର ଉପକଣ୍ଠରେ ବହୁ ସଂଖ୍ୟାରେ ଅପରାଧ ଘଟୁଥିବାବେଳେ ଏହାରି ପଛରେ କଟୁରୀ ଗ୍ୟାଙ୍ଗର ହାତ ଥିବା ପୁଲିସ ଜାଣିବାକୁ ପାଇଛି | ଏନେଇ ପୁଲିସ ତଦନ୍ତ କରୁଥିବାବେଳେ ଜଣାପଡିଛି ଯେ ଏହି ଗ୍ୟାଙ୍ଗର ସଦସ୍ୟମାନେ ଲୋକଙ୍କୁ କଟୁରୀ ଦେଖାଇ ଭୟଭୀତ କରୁଛନ୍ତି ଓ ଲୁଟ କରୁଛନ୍ତି | ଏହି ଗ୍ୟାଙ୍ଗର ସଦସ୍ୟମାନେ ଘରେ ପଶି ମଧ୍ୟ ଲୁଟ କରିବା ସହ ଆତଙ୍କ ଖେଳାଉଛନ୍ତି | ଡେପୁଟି କମିଶନର ଅଫ୍ ପୁଲିସ୍ (କ୍ରାଇମ) ଆମୋଲ ଜେଣ୍ଡେ କହିଛନ୍ତି ଯେ ଆମେ ଜୋନର ସମସ୍ତ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛୁ ଯେ ସେମାନଙ୍କ ଅଞ୍ଚଳରେ ଚାଷ ଉପକରଣ ବିକ୍ରି କରୁଥିବା ଖୁଚୁରା ବ୍ୟବସାୟୀଙ୍କ ଉପରେ ନଜର ରଖିବେ | ବ୍ୟବସାୟୀଙ୍କୁ କୁହାଯାଇଛି ଯେ ସେମାନେ ଯାହାକୁ କଟୁରୀ ବିକ୍ରି କରୁଛନ୍ତି ସେହି କ୍ରେତାଙ୍କ ପରିଚୟର ରେକର୍ଡ ରଖିବେ। ବିକ୍ରେତାମାନଙ୍କୁ ଆଧାରକାର୍ଡ଼ ନ ଦେଖିଲେ କଟୁରୀ ବିକ୍ରୟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର