ଦୁଷ୍କର୍ମ ଅଭିଯୁକ୍ତଙ୍କ ଏନକାଉଣ୍ଟର ଘଟଣାକୁ ସମାଲୋଚନା କଲେ ବିଜେପି ନେତ୍ରୀ ମେନକା ଗାନ୍ଧି : ଆପଣ ଆଇନକୁ ହାତକୁ ନେଇ ପାରିବେ ନାହିଁ

ନୂଆଦିଲ୍ଲୀ: ହାଇଦ୍ରାବାଦ ଏନକାଉଣ୍ଟର ଘଟଣାକୁ ନେଇ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି । ମାତ୍ର ୧୦ ଦିନ ଭିତରେ ପୀଡିତାଙ୍କୁ ନ୍ୟାୟ ମିଳିଥିବାରୁ ପୁଲିସକୁ ପ୍ରଶଂସା କରିଛି ସମଗ୍ର ଦେଶ । କିନ୍ତୁ କତିପୟ ନେତା ଓ ବରିଷ୍ଠ ବ୍ୟକ୍ତିବିଶେଷ ଏହି ଏନକାଉଣ୍ଟରକୁ ବିରୋଧ କରିବା ସହ ସମାଲୋଚନା କରିଛନ୍ତି । ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ମେନକା ଗାନ୍ଧୀ । ସେ କହିଛନ୍ତି, ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟର କରିବା ଠିକ୍ ହୋଇନାହିଁ। ଯାହା ହେଲା, ତାହା ଦେଶ ଲାଗି ବହୁତ ଭୟାନକ। ଅପଣ ଆଇନକୁ ନିଜ ହାତକୁ ନେଇ ପାରିବେ ନାହିଁ। ଅଭିଯୁକ୍ତ ଅଦାଲତ ଦ୍ବାରା ଫାଶୀ ପାଇଥାଆନ୍ତେ। ଆମ ଦେଶରେ ଅଦାଲତ ଅଛି , ଆଇନ ବ୍ୟବସ୍ଥା ରହିଛି । ତାହା ସତ୍ତ୍ବେ ଆଇନକୁ ହାତକୁ ନେଇଛି ପୁଲିସ ଏବଂ ଅଭିଯୁକ୍ତମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆଇନ୍ ପ୍ରକ୍ରିୟାରେ ଅଭିଯୁକ୍ତମାନେ ପୁଲିସ ସହ ଯାଇଥିଲେ । କିନ୍ତୁ ପୁଲିସ ଆଇନକୁ ହାତକୁ ନେଇ ସେମାନଙ୍କୁ ଗୁଳି କରି ହତ୍ୟା କରିଛି । ଯଦି ଏଭଳି ଏନକାଉଣ୍ଟର କରାଯାଏ ତେବେ ଦେଶରେ ଆଇନ ବ୍ୟବସ୍ଥା ଓ ଅଦଲାତର କୌଣସି ଆବଶ୍ୟକତା ନାହିଁ ।

ଅନ୍ୟପକ୍ଷରେ ପୁଲିସ ସୂତ୍ର ଅନୁସାରେ, ଅଦାଲତରେ ଚାର୍ଟସିଟ ଦାଖଲ କରିବା ପରେ ପୁଲିସ ଏହି ଚାରିଜଣ ଅଭିଯୁକ୍ତଙ୍କୁ  ରିକ୍ରିଏସନ ପ୍ରକ୍ରିୟା ଲାଗି ଘଟଣାସ୍ଥଳକୁ ନେଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ପୁଲିସ କର୍ମୀଙ୍କ ଠାରୁ ବନ୍ଧୁକ ଛଡାଇ ଖସି ପଳାଇଯିବାକୁ ଉଦ୍ୟମ କରିଥିଲା । ସେମାନଙ୍କୁ ଅଟକାଇବା ପାଇଁ ପୁଲିସ ଗୁଳି ଚାଳନା କରିଥିଲା । ଏହି ଗୁଳିଚାଳନାରେ ଚାରିଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା । ଏହି ଏନକାଉଣ୍ଟର ଭୋର୍ ୩ଟାରୁ ୬ଟା ମଧ୍ୟରେ ହୋଇଥିଲା ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର