ବୁଲା କୁକୁରକୁ ଅପରେସନ କରାଇ ଚର୍ଚ୍ଚାରେ ବିଜେପି ସାଂସଦ

ସୁଲତାନପୁର: ଉତ୍ତରପ୍ରଦେଶ ସୁଲତାନପୁରର ସାଂସଦ ମାନେକା ଗାନ୍ଧୀ ଜଣେ ପଶୁ ସୁରକ୍ଷା ଅଭିଯାନର ସକ୍ରିୟ ସଦସ୍ୟ ଭାବେ ବେଶ ଜଣାଶୁଣା | ପରିବେଶ ପ୍ରଦୂଷଣ ବାବଦରେ ସ୍ୱର ଉଠାଇବା ସହ ସମାଜସେବୀ ଭାବେ ସମସ୍ତେ ଜାଣନ୍ତି | ଏବେ କିନ୍ତୁ ମାନେକାଙ୍କ ପଶୁ ପ୍ରେମର ଆଉ ଏକ ଝଲକ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଶୁକ୍ରବାର ସନ୍ଧ୍ୟା ୭ଟାରେ ମାନେକାଙ୍କୁ ଖବର ଦିଆଯାଇଥିଲା ଯେ ଗୋଟିଏ ବୁଲା କୁକୁରର ପେଟରେ ମାଂସ ପିଣ୍ଡୁଳାଟିଏ ବାହାରିଥିବାବେଳେ କୁକୁରଟି ଅସହାୟ ଅବସ୍ଥାରେ ପଡ଼ିରହିଛି |

କୁକୁରଟିକୁ ଅସହ୍ୟ ଯନ୍ତ୍ରଣା ହେଉଥିବାରୁ କୁକୁରଟି ଚିତ୍କାର କରୁଥିଲା | ଏହା ଶୁଣି ମାନେକା ଘଟଣାସ୍ଥଳରେ ପହଂଚି କୁକୁରଟିକୁ ଉଦ୍ଧାର କରିଥିଲେ | ସଙ୍ଗେସଙ୍ଗେ ତାହାକୁ ପଶୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ | ସେଠାରେ କୁକୁରର ରକ୍ତ ପରୀକ୍ଷା ହେବା ପରେ ଅସ୍ତ୍ରୋପଚାର କରାଯାଇଥିଲା | ଦୀର୍ଘ ୪ ଘଣ୍ଟାର ଅପରେସନ ପରେ କୁକୁର ପେଟରୁ ମାଂସ ପିଣ୍ଡୁଳାଟିକୁ କଢ଼ାଯାଇଥିଲା|

ବର୍ତ୍ତମାନ କୁକୁରଟି ସ୍ୱାସ୍ଥ୍ୟ ଥିବାବେଳେ ଚଲାବୁଲା ମଧ୍ୟ କରୁଛି | ଏଠାରେ ସୂଚନା ଥାଉ କି ମାନେକା ପିପୁଲସ ଫର ଆନିମଲସ ନାମକ ସଂଗଠନଟିଏ ପ୍ରତିଷ୍ଠା କରିଛନ୍ତି | ପଶୁଙ୍କ ପ୍ରତି ବଢୁଥିବା ହିଂସା ବିରୋଧରେ ଏହି ସଂଗଠନ ସ୍ୱର ଉତ୍ତୋଳନ କରିଥାଏ |

ସମ୍ବନ୍ଧିତ ଖବର