ମୁସ୍‌ଲିମ୍‌ମାନଙ୍କୁ ଖୋଲା ଧମକ ଦେଲେ ମାନେକା ଗାନ୍ଧୀ, କହିଲେ; ମୋତେ ଭୋଟ୍‌ ଦେବ, ନଚେତ୍‌ ପରେ ପରିଣାମ ଭୋଗିବ

ସୁଲତାନପୁର : ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ସୁଲତାନ୍‌ପୁରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ମୁସଲମାନମାନଙ୍କୁ ଖୋଲା ଧମକ ଦେଇଥିବା ଜଣା ପଡ଼ିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୁଲତାନ୍‌ପୁରରେ ରହୁଥିବା ମୁସଲମାନମାନଙ୍କୁ ସମ୍ବୋଧନ କରି, ଯଦି ମୁଁ ସୁଲତାନପୁରରେ ରହୁଥିବା ମୁସଲମାନମାନଙ୍କ ଭୋଟ୍‌ ବିନା ନିର୍ବାଚନ ଜିତୁଛି । ତେବେ ଭବିଷ୍ୟତରେ ମୁଁ ସେମାନଙ୍କୁ କୌଣସି କାମରେ ସାହାଯ୍ୟ କରିବି ନାହିଁ ବୋଲି ଖୋଲା ଖୋଲି ଭାବରେ କହିଥିଲେ ମାନେକା ଗାନ୍ଧୀ । ତାଙ୍କର ଏଭଳି ଅନ୍ଦାଜକୁ ଲୋକେ ନାପସନ୍ଦ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ନିର୍ବାଚନୀ ସଭାରେ ଯୋଗ ଦେଇ ସେଠାରେ ଉପସ୍ଥିତ ଥିବା ମୁସଲମାନ ଭାଇ-ଭଉଣୀମାନଙ୍କ ସ୍ପଷ୍ଟ ଭାଷାରେ ଧମକ ଦେଇଥିଲେ ମାନେକା ଗାନ୍ଧୀ । ନିଜର ଅଭିଭାଷଣ ରଖି, ମୁଁ ଲୋକମାନଙ୍କ ଭଲ ପାଇବା ପାଇଁ ଜିତୁଛି ଏବଂ ଆଗକୁ ଜିତିବି ମଧ୍ୟ । ଯଦି ମୁଁ ଏହି ନିର୍ବାଚନ ମୁସଲମାନ ଭାଇ-ଭଉଣୀମାନଙ୍କ ଭୋଟ୍‌ ବିନା ଜିତେ, ତେବେ ମୋତେ ଜମା ବି ଭଲ ଲାଗିବ ନାହିଁ । ଯଦି ଏଭଳି ହୁଏ, ମୋ ମନ ଖଟା ହୋଇଯିବ । ଯଦି ପରେ କୌଣସି ମୁସଲମାନ ମୋ ପାଖକୁ କୌଣସି ସାହାଯ୍ୟ ପାଇଁ ଆସେ, ତେବେ ମୁଁ ସେମାନଙ୍କୁ ସାହାଯ୍ୟ କରିବି ନାହିଁ । କେବଳ ଦେବା ଯୁଗ ଗଲା । ଭୋଟ୍‌ ଦେଲେ ଯାଇ ମୁଁ ସାହାଯ୍ୟ କରିବା ବିଷୟରେ ଭାବିବି । ମୁସଲମାନ ଭାଇ-ଭଉଣୀମାନଙ୍କୁ ଜାଣି ରଖିବା ଦରକାର, ସେମାନଙ୍କ ଭୋଟ୍‌ ବିନା ମୁଁ ଜିତି ପାରିବି ଏବଂ ସେମାନଙ୍କ ଭୋଟ୍‌ ସହ ମଧ୍ୟ ମୁଁ ଜିତି ପାରିବି । ଏବେ ନିଷ୍ପତ୍ତି ସେମାନଙ୍କ ହାତରେ ବୋଲି କହିଥିଲେ ମାନେକା ଗାନ୍ଧୀ ।

ସମ୍ବନ୍ଧିତ ଖବର