‘ଅବନୀ’ର ହତ୍ୟା ପାଇଁ ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ

ମୁମ୍ବାଇ: ମହାରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଥିବା ମଣିଷ ଖିଆ ବାଘୁଣୀ ଅବନୀକୁ ଯେଉଁପରି ଢ଼ଙ୍ଗରେ ‘ସାର୍ପ ସୁଟର’ ନିୟୋଜିତ କରି ହତ୍ୟା କରାଗଲା ତାହାର ତୀବ୍ର ନିନ୍ଦା କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ। ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଗାନ୍ଧୀ, ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ନିକଟକୁ ଏକ ପତ୍ର ଲେଖି ମହାରାଷ୍ଟ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିବା ସୁଧୀର ମୁଙ୍ଗାତିଓ୍ଵାରଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡ୍‌ନାଭିସ୍‌ଙ୍କ ନିକଟକୁ ଲେଖିଥିବା ପତ୍ରରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଗାନ୍ଧୀ କହିଛନ୍ତି ଯେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭାବେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ହେଉଛି ମନ୍ତ୍ରୀ ସୁଧୀର ମୁଙ୍ଗାତିଓ୍ଵାରଙ୍କ କାର୍ଯ୍ୟ। କିନ୍ତୁ, ନିଜ କର୍ତ୍ତବ୍ୟ ସଂପାଦନାରେ ବିଫଳ ହୋଇ ‘ସାର୍ପ ସୁଟର’ ଦ୍ୱାରା ବାଘୁଣୀ ଅବନୀକୁ ଯେଉଁପରି ଢ଼ଙ୍ଗରେ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଲେ ତାହା ଅତ୍ୟନ୍ତ ବିଡ଼ମ୍ବନାର ବିଷୟ। ତେଣୁ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୁଧୀର ମୁଙ୍ଗାତିଓ୍ଵାରଙ୍କ ଏପରି କାର୍ଯ୍ୟ ପରେ ତାଙ୍କର ମନ୍ତ୍ରିମଣ୍ଡଳରେ ରହିବାର କୌଣସି ନୈତିକ ଅଧିକାର ନାହିଁ। ଏହାକୁ ଦୃଷ୍ଟିରେ ରଖି ସୁଧୀର ମୁଙ୍ଗାତିଓ୍ଵାରଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡ୍‌ନାଭିସ୍‌ଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ କୋକୁଆ ଭୟ ସୃଷ୍ଟି କରିଥିବା ମଣିଷ ଖିଆ ବାଘୁଣୀ ‘ଅବନୀ’ ଗତ ଦୁଇ ବର୍ଷ ମଧ୍ୟରେ ୧୩ ଜଣ ମଣିଷଙ୍କୁ ଶିକାର କରି ଖାଇଯିବା ପରେ ଗତ ରବିବାର ରାତିରେ ‘ସାର୍ପ ସୁଟର’ ନିୟୋଜିତ କରାଯାଇ ତାକୁ ହତ୍ୟା କରା ଯାଇଥିଲା। ଗତ ସେପ୍ଟେଟର ମାସରେ ସୁପ୍ରିମ୍‌ କୋର୍ଟ, ଅବନୀକୁ ଦେଖିବାମାତ୍ରେ ହିଁ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଅବନୀକୁ ହତ୍ୟା କରିବା ପାଇଁ ମହାରାଷ୍ଟ୍ର ବନ୍ୟ ବିଭାଗ ପକ୍ଷରୁ ଅପରେସନ୍‌ ଆରମ୍ଭ ହୋଇଥିଲା। ଦୀର୍ଘ ତିନି ମାସର ଅପରେସନ୍‌ ପରେ ଶେଷରେ ଗତ ରବିବାର ରାତିରେ ସାର୍ପ ସୁଟର ଅସଗର ଅଲ୍ଲୀ ଅବନୀକୁ ଗୁଳି କରି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର