କୁଲଭୂଷଣଙ୍କ ପତ୍ନୀଙ୍କ ଠାରୁ ଛଡ଼ାଇ ରଖାଗଲା ମଙ୍ଗଳସୂତ୍ର, ଚୁଡ଼ି, ବିନ୍ଦି ଓ ଜୋତା ବି ପିନ୍ଧିବାକୁ ଦିଆଗଲା ନାହିଁ

ପାକିସ୍ତାନର ଏପ୍ରକାର ଆଚରଣ ଓ ବ୍ୟବହାର ଆଦୌ ଗ୍ରହଣଯୋଗ୍ୟ ନୁହେଁ: ଭାରତୀୟ ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦୀର୍ଘ କୂଟନୈତିକ କସରତ ପରେ ପାକିସ୍ତାନ ସରକାର ଶେଷରେ କୁଲଭୂଷଣ ଯାଦବଙ୍କୁ ଯେଉଁ ଢ଼ଙ୍ଗରେ ତାଙ୍କ ମା’ ଓ ପତ୍ନୀଙ୍କ ସହ ଭେଟ କରାଇଲେ, ତାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କୁଲଭୂଷଣଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିବା ମା’ ଅଭନ୍ତୀ ଓ ପତ୍ନୀ ଚେତନ୍‌କୁଲଙ୍କ ପ୍ରତି ସୁରକ୍ଷାର ଆଳ ଦେଖାଇ ପାକିସ୍ତାନୀ ଅଧିକାରୀମାନେ ଯେଉଁ ପ୍ରକାରର ଆଚରଣ ଓ ବ୍ୟବହାର ପ୍ରଦର୍ଶନ କଲେ ତାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଭିସ୍‌ କୁମାର ବେଶ୍‌ ସ୍ପଷ୍ଟ ଓ ଶାଣିତ ଭାବେ କହିଛନ୍ତି।

ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଭିସ୍‌ କୁମାର ଆଜି ଗଣମାଧ୍ୟମକୁ କହିଛନ୍ତି, କୁଲଭୂଷଣଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିବା ତାଙ୍କ ମା’ ଅଭନ୍ତୀ ଓ ପତ୍ନୀ ଚେତନ୍‌କୁଲଙ୍କ ପ୍ରତି ଶଳୀନତା ଓ ସୌଜନ୍ୟତାର ସମସ୍ତ ସୀମା ସରହଦ ଟପି ପାକିସ୍ତାନୀ ଅଧିକାରୀମାନେ ଯେଉଁ ଢ଼ଙ୍ଗରେ ଆଚରଣ ପ୍ରଦର୍ଶନ କରିଛନ୍ତି, ତାହା ଆଦୌ ବରଦାସ୍ତ ଯୋଗ୍ୟ ନୁହେଁ। ‘ଏହା ଆମେ ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ସହ କହୁଛୁ। ଏବଂ ପୂର୍ବରୁ ଏଥିପାଇଁ ପାକିସ୍ତାନ କୂଟନୈତିକ ସ୍ତରରେ ଆମ ସହ ଯେଉଁ ବୁଝାମଣା କରିଥିଲା ଓ ସକାରାତ୍ମକ ମାନସିକତା ଦେଖାଇଥିଲା, ସେଥିରୁ କାଣିଚାଏ ବି ପୂର୍ଣ୍ଣ କରି ନଥିବାରୁ ଆମେ ଗଭୀର ଭାବେ ମର୍ମାହତ,’ ବୋଲି କହିଛନ୍ତି ରଭିସ୍‌ କୁମାର।

www.hindustantimes.com

ଗତ ସୋମବାର ଦିନ ପାକିସ୍ତାନରେ ଘଟି ଯାଇଥିବା ଘଟଣା ସଂପର୍କରେ ସୂଚନା ଦେବାକୁ ଯାଇ ସେ କହିଛନ୍ତି ଯେ, ସୁରକ୍ଷା ଆଳରେ କୁଲଭୂଷଣଙ୍କ ସହ ସାକ୍ଷାତ ପୂର୍ବରୁ ତାଙ୍କ ପତ୍ନୀଙ୍କ ଠାରୁ ବଳପୂର୍ବକ ଭାବେ ପାକିସ୍ତାନୀ ଅଧିକାରୀମାନେ ମଙ୍ଗଳସୂତ୍ର ଠାରୁ ଆରମ୍ଭ କରି ଚୁଡ଼ି, ବିନ୍ଦି ଓ ଜୋତା ପର୍ଯ୍ୟନ୍ତ ସବୁକିଛି ଛଡ଼ାଇ ନେଇଥିଲେ। କୁଲଭୂଷଣଙ୍କୁ ସାକ୍ଷାତ ପାଇଁ ଯିବା କାଳରେ ସେମାନଙ୍କୁ ଲୁଗା ବଦଳାଇ ଅନ୍ୟ ଲୁଗା ପିନ୍ଧି ଯିବା ପାଇଁ ବାଧ୍ୟ କରା ଯାଇଥିଲା। ଏପରିକି ଫେରିବା ବେଳେ ତାଙ୍କର ଜୋତା ମଧ୍ୟ ତାଙ୍କୁ ଫେରସ୍ତ ମିଳି ନଥିଲା। ଏକ ଭୟାତୁର ବାତାବରଣ ଭିତରେ, ଏକ ମୋଟା କାଚର ଆଢ଼ୁଆଳରେ ସେମାନଙ୍କୁ ସାମନା ସାମନି ବସା ଯାଇଥିଲା। ସିଧା ସଳଖ; ବ୍ୟକ୍ତିଗତ ଭାବେ ନୁହେଁ ବରଂ ଇଣ୍ଟରକମ୍‌ ଫୋନ୍‌ରେ କଥା ହେବାକୁ କୁହାଯାଇଥିଲା। ଖାଲିଏତିକି ନୁହେଁ ସେମାନଙ୍କୁ ସେମାନଙ୍କ ମାତୃଭାଷା ମରାଠିରେ କାଥାବାର୍ତ୍ତା ହେବା ପାଇଁ ସୁଦ୍ଧା ଅନୁମତି ନଥିଲା। ପୁଅକୁ ଦେଖି ଭାବପ୍ରବଣ ହୋଇ କୁଳଭୂଷଣଙ୍କ ଇଂରାଜୀ ଜାଣି ନଥିବା ମା’ ମରାଠିରେ କିଛି କହି ପକାଇବାରୁ ପାକିସ୍ତାନୀ ଅଧିକାରୀମାନେ ତାଙ୍କ ଉପରେ ବଳପ୍ରୟୋଗ କରିବାକୁ ସୁଦ୍ଧା କୁଣ୍ଠିତ ହୋଇ ନଥିଲେ। ସେ ସମୟରେ ସେଠାରେ ଉପସ୍ଥିତ ଥିବା ଭାରତୀୟ ଉପ କମିଶନର ଜେପି ସିଂହଙ୍କୁ ସୁଦ୍ଧା କୁଳଭୂଷଣଙ୍କୁ ଦୂରରୁ ଦେଖିବା ପାଇଁ ଅନୁମତି ପ୍ରଦାନ କରାଯାଇ ନଥିଲା।

ସେହିପରି ପୂର୍ବରୁ ପାକିସ୍ତାନୀ ଗଣମାଧ୍ୟମକୁ କୁଲଭୂଷଣଙ୍କ ମା’ ଓ ପତ୍ନୀଙ୍କ ଠାରୁ ଦୂରରେ ରଖାଯିବ ବୋଲି ପାକିସ୍ତାନ ପକ୍ଷରୁ ପ୍ରତିଶ୍ରୁତି ଦିଆ ଯାଇଥିଲେ ମଧ୍ୟ ଏହାକୁ ଉଲ୍ଲଂଘନ କରାଯାଇଥିଲା। କୁଲଭୂଷଣଙ୍କୁ ଭେଟି ଫେରିବା ବାଟରେ ପାକିସ୍ତାନୀ ଗଣମାଧ୍ୟମଗୁଡ଼ିକ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପ୍ରଶ୍ନ କରିବା ସହ ନାନା ବାଗରେ ହୀନସ୍ତା କରିଥିଲେ। ପୂର୍ବରୁ ପାକିସ୍ତାନ କୁଲଭୂଷଣ ତାଙ୍କ ମାମଲା ଲଢ଼ିବା ପାଇଁ ଓକିଲ ନିଯୁକ୍ତ କରିପାରିବେ ବୋଲି କହିଥିବା ବେଳେ ଗତ କାଲି ଏଥିରୁ ଓହରି ଯାଇ କୁଳଭୂଷଣ ଓକିଲ ସହାୟତା ନେଇ ପାରିବେ ନାହିଁ ବୋଲି କହିବା ସହ ଏ ସଂପର୍କିତ ନିଷ୍ପତ୍ତି ଠିକଣା ସମୟରେ ନିଆଯିବ ବୋଲି କହିଛି। ଏଥିସହ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ଯେଉଁ ଢ଼ଙ୍ଗରେ ଏହା କୁଲଭୂଷଣଙ୍କ ସହ ତାଙ୍କ ପରିବାରର ଶେଷ ସାକ୍ଷାତ ନୁହେଁ ବୋଲି କହିଛି, ତାକୁ ମଧ୍ୟ ଦୃଢ଼ ଭାବେ ବିରୋଧ କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା।

ସମ୍ବନ୍ଧିତ ଖବର