ମାଙ୍ଗାଲୁରୁ ବୋମା ବିସ୍ଫୋରଣ ଘଟଣାର ସନ୍ଦିଗ୍ଧ ବିଟ୍‌କଏନ୍‌ କାରବାର କରୁଥିଲା

ମାଙ୍ଗାଲୁରୁ: ମାଙ୍ଗାଲୁରୁ ‌ଅଟୋରିକ୍ସା ବୋମା ବିସ୍ଫୋରଣ ଘଟଣାର ସନ୍ଦିଗ୍ଧ ଅପରାଧୀ ଭାବେ ପୁଲିସ ଏଚ୍‌ ମହମ୍ମଦ ସାରିକ୍‌ (୨୪ ବର୍ଷ)କୁ ଚିହ୍ନଟ କରିଛି। ତା’ ସଂପର୍କରେ ପୁଲିସକୁ ଅଧିକରୁ ଅଧିକ ତଥ୍ୟ ମଧ୍ୟ ମିଳିବାରେ ଲାଗିଛି। ସୂଚନା ଅନୁଯାୟୀ, ପୁଲିସ ସାରିକ୍‌ର ଆତଙ୍କବାଦୀ କାର୍ଯ୍ୟକଳାପ ସମେତ ଅନ୍ୟାନ୍ୟ କାର୍ଯ୍ୟ ସଂପର୍କରେ ସୁରାକ ପାଇଛି। ସେ ବିଟକଏନ୍‌ କାରବାର ମଧ୍ୟ କରୁଥିବା ଜଣାଯାଇଛି।

ସାରିକ୍‌ର ଘର ଶିବମୋଗା ଜିଲ୍ଲାର ତିର୍ଥହାଲି ସହରର ସୋପୁଗୁଡ୍ଡେରେ। କିନ୍ତୁ ସେ ମହୀଶୂରରେ ନକଲି ପରିଚୟରେ ରହୁଥିଲା। ଲସ୍କର-ଇ-ତୋଇବା ଭଳି ଆତଙ୍କବାଦୀ ସଂଗଠନକୁ ସମର୍ଥନ କରି ସେ ‌ମାଙ୍ଗାଲୁରୁର କାନ୍ଥବାଡ଼ରେ ବିଭିନ୍ନ ବାର୍ତ୍ତା ଲେଖିବା ସହିତ ଚିତ୍ର କରୁଥିଲା। ଏଥିଯୋଗୁ ସେ ଗିରଫ ହୋଇଥିଲା। କିନ୍ତୁ ଗତବର୍ଷ ତାକୁ ଜାମିନ ମିଳିଥିଲା। ତାହା ପରଠାରୁ ସେ ଲୁଚି ବୁଲୁଥିଲା।

ତେବେ ପୁଲିସର କହିବାନୁଯାୟୀ, ଶିବମୋଗା ଜିଲ୍ଲାରେ ଅଗଷ୍ଟ ୧୫ରେ ଯେତେବେଳେ ସାଂପ୍ରଦାୟିକ ହିଂସା ଦେଖାଦେଇଥିଲା ତାହାର ନାମ ଉଠିଥିଲା। ସେହି ସମୟରେ ସେ ଶିବମୋଗାରୁ କୋଏମ୍ବାଟୋରକୁ ପଳାଇଥିଲା। ସେଠାରେ ସେ ତିନିଦିନ ରହିଥିଲା। ତାହାପରେ ସେ ପର୍ଯ୍ୟାୟକ୍ରମେ କେରଳ, ତାମିଲନାଡ଼ୁ ଓ କର୍ଣ୍ଣାଟକକୁ ଯାଇଥିଲା। ନଭେମ୍ବର ୧୦ରେ ମାଙ୍ଗାଲୁରୁକୁ ରେକି କରିବା ପାଇଁ ଆସିଥିଲା। ହାତରେ ପ୍ରେସର କୁକର ଧରିଥିବାର ଫଟୋ ଯାହା ଏବେ ସାମ୍ନାକୁ ଆସିଛି ତାହାକୁ ସେ ଗତ ଶନିବାରର ମାଙ୍ଗାଲୁରୁ ବିସ୍ଫୋରଣରେ ବ୍ୟବହାର କରିଥିବା ଅନୁମାନ କରାଯାଉଛି।

ତେବେ ସେହି ଫଟୋର ସତ୍ୟତା ବିଷୟରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସାରିକ୍‌ ମହୀଶୂରର ଯେଉଁ ଘରେ ଭଡ଼ା ରହୁଥିଲା ସେଠାରେ ସେ ନକଲି ପରିଚୟପତ୍ର ପ୍ରସ୍ତୁତ କରୁଥିଲା। ମାଙ୍ଗାଲୁରୁ ବିସ୍ଫୋରଣ ସ୍ଥଳରୁ ଯେଉଁ ଆଧାରକାର୍ଡ ମିଳିଛି ତାହା ଜଣେ ରେଳ କର୍ମଚାରୀର। କୋଏମ୍ବାଟୋରରେ ଏକ ଡର୍ମିଟୋରି ଭଡ଼ାରେ ନେବାଲାଗି ସାରିକ୍‌ ଅନ୍ୟ ଜଣେ ବ୍ୟକ୍ତିର ଆଧାରକାର୍ଡ ବ୍ୟବହାର କରିଥିଲା। ଡର୍ମିଟୋରିରେ ସେ ଜଣେ ଶିକ୍ଷକଙ୍କ ସହିତ ସଂପର୍କ ତିକ୍ତ କରିଥିଲା। ସେହି ଶିକ୍ଷକଙ୍କ ଆଧାରକାର୍ଡର କପି ବ୍ୟବହାର କରି ସେ ସିମ୍‌ ସଂଗ୍ରହ କରିଥିଲା। ଗଡ଼ାଗର ଜଣେ ବ୍ୟକ୍ତିଙ୍କର ଆଧାରକାର୍ଡ ମଧ୍ୟ ତା ପାଖରେ ରହିଥିଲା। ପୁଲିସର ସୂଚନା ଅନୁଯାୟୀ ଗତ କିଛିମାସ ପୂର୍ବେ ତାହାର କିଛି ସହଯୋଗୀ ଗିରଫ ହୋଇଥିଲେ। ସେମାନଙ୍କ ନିକଟକୁ ସାରିକ୍‌ କ୍ରିପ୍ଟୋ‌କରେନ୍ସି ପଠାଇଥାଏ।

ସମ୍ବନ୍ଧିତ ଖବର