ଏବର୍ଷ ଭାରତର ଆମ୍ବ ଉତ୍ପାଦନ କାହିଁକି କମିଲା ?

ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧିର ପ୍ରଭାବ  ମାନବ ସମାଜ ପାଇଁ ଯେ କେତେ ଭୟଙ୍କର ହୋଇପାରେ ତାହା ଧୀରେ ଧୀରେ ପ୍ରମାଣିତ ହେବାରେ ଲାଗିଛି । ଏହା ଦ୍ବାରା କେବଳ ବାତ୍ୟା କିମ୍ବା ମରୁଡି ନୁହେଁ, ଖାଦ୍ୟ ସଂକଟ ମଧ୍ୟ ଦେଖାଯିବାର ଆଶଙ୍କା ଜଳ ଜଳ ଦେଖାଗଲାଣି ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରବଳ ଗରମ ଯୋଗୁଁ ଗହମ ଉତ୍ପାଦନ ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ରପ୍ତାନି ବନ୍ଦ କରିଛି । ପ୍ରବଳ ଗରମ ଯୋଗୁଁ ଧାନ ଉତ୍ପାଦନ ବି କମିବାର ଆଶଙ୍କା ଦେଖାଦେଇଛି ।

ତେବେ ଏବର୍ଷ ଆମ୍ବ ଉତ୍ପାଦନ କମିବା ପଛରେ ବି ପ୍ରବଳ ଗରମକୁ ଦାୟୀ କରାଯାଇଛି । ଦେଶର ପ୍ରମୁଖ ଆମ୍ବ ଉତ୍ପାଦନକାରୀ ରାଜ୍ୟ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶରେ ଏବର୍ଷ ଆମ୍ବ ଉତ୍ପାଦନ କମ ହୋଇଛି । ପୁଣି ତାପମାତ୍ରା ପ୍ରଭାବରୁ ଆମ୍ବର ଆକାର ମଧ୍ୟ କମିଯାଇଛି । ଏହି ସବୁ କାରଣରୁ ଏବର୍ଷ ଭାରତର ଆମ୍ବ ରପ୍ତାନି ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଭାରତ ବିଶ୍ବରେ ଏକ ପ୍ରମୁଖ ଆମ୍ବ ଉତ୍ପାଦନକାରୀ ଦେଶର ଭାବେ ଜଣାଶୁଣା । ଭାରତୀୟ ଆମ୍ବ ମଧ୍ୟପ୍ରାଚ୍ୟ, ଚୀନ, ଆମେରିକା ଆଦି ଦେଶକୁ ରପ୍ତାନି ହୋଇଥାଏ ।

ଭାରତରେ ବର୍ଷକୁ ୨୧ରୁ ୨୩ ନିୟୁତ ଟନ ଆମ୍ବ ଉତ୍ପାଦନ ହୋଇଥାଏ । କୃଷି ବିଶେଷଜ୍ଞଙ୍କ ମତରେ ଆମ୍ବ ଫଳ ବଡ଼ ହେବା ବେଳେ ୨୭ ଡିଗ୍ରୀ ସେଲସିୟସ ତାପମାତ୍ରା ରହିବା ଉଚିତ । କିନ୍ତୁ ଏବର୍ଷ ମାର୍ଚ୍ଚ ମାସରେ ରେକର୍ଡ ଗରମ ଯୋଗୁଁ ଆମ୍ବ ଫଳର ବିକାଶ ପ୍ରଭାବିତ ହୋଇଥିଲା ।

ସମ୍ବନ୍ଧିତ ଖବର