ମଣିପୁରରେ ନିଜର ପ୍ରାର୍ଥୀମାନଙ୍କୁ ମନ୍ଦିର, ମସଜିଦ, ଚର୍ଚ୍ଚ ନେଇ ଶପଥ ପାଠ କରାଉଛି କଂଗ୍ରେସ

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ନିଜ ଦଳର ପ୍ରାର୍ଥୀ ଓ ନେତାମାନଙ୍କ ଦଳବଦଳ କଂଗ୍ରେସକୁ ବେଶ୍ ଚିନ୍ତାରେ ପକାଇଦେଇଛି । ଏଥିପାଇଁ ଦଳ ଏକ ଉପାୟ ଗ୍ରହଣ କରିଛି, ତାହା ହେଉଛି ଦଳ ନିଜର ପ୍ରାର୍ଥୀମାନଙ୍କୁ ଧର୍ମ ନାମରେ ଶପଥ ପାଠ କରାଉଛି । ପ୍ରାର୍ଥୀମାନଙ୍କୁ ମନ୍ଦିର, ମସଜିଦ ଓ ଚର୍ଚ୍ଚ ନେଇ ଶପଥପାଠ କରାଯାଉଛି । ପ୍ରଥମେ ଗୋଆରେ ଏପରି ଶପଥପାଠ କରାଯିବା ପରେ ଏବେ ମଣିପୁରରେ ମଧ୍ୟ ପ୍ରାର୍ଥୀମାନଙ୍କୁ ଶପଥପାଠ କରାଯାଉଛି ।

୨୦୧୭ ନିର୍ବାଚନରେ ଉଭୟ ଗୋଆ ଓ ମଣିପୁରରେ ଏକକ ସଂଖ୍ୟା ଗରିଷ୍ଠତା ପାଇଥିଲେ ବି ସରକାର ଗଠନ କରିପାରିନଥିଲା । ଏଣୁ ଏଥର ଦଳ ନିଜର ପ୍ରାର୍ଥୀମାନେ ଯେପରି ଦଳ ତ୍ୟାଗ ନକରନ୍ତି ସେଥିପାଇଁ ଉଦ୍ୟମ କରୁଛି । କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ଇକ୍ରାମ ଇବୋବି ସିଂଙ୍କ ନେତୃତ୍ବରେ ଆଜି କଂଗ୍ରେସ ପ୍ରାର୍ଥୀମାନେ ଶପଥ ନେଇଛନ୍ତି ।

କଂଗ୍ରେସର ମଣିପୁର ପ୍ରଭାରି ଭକ୍ତ ଚରଣ ଦାସ କହିଛନ୍ତି ଯେ ନିର୍ବାଚନକୁ ଯେକୌଣସି ମତେ ଜିତିବାକୁ ବିଜେପି ଅସାଧୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଏହି ନିର୍ବାଚନରେ କଂଗ୍ରେସ ଜିତିବାର ସମ୍ଭାବନା ଥିବାରୁ ବିଜେପି ବିଧାୟକମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛି । ଏଣୁ ସେମାନେ ଯେପରି ଦଳ ତ୍ୟାଗ ନ କରନ୍ତି ସେଥିପାଇଁ ଶପଥ ପାଠ କରାଯାଉଛି ।

 

ସମ୍ବନ୍ଧିତ ଖବର