ମଣିପୁର ହିଂସା : ପଦକ ଫେରାଇବାକୁ ଚେତାବନୀ ଦେଲେ କ୍ରୀଡ଼ାବିତ୍

ନୂଆଦିଲ୍ଲୀ : ମଣିପୁରରେ ହିଂସାର ନିଆଁ ଥମିବାର ନାଁ ନେଉନାହିଁ । ମଙ୍ଗଳବାରଦିନ ଗୃହମନ୍ତ୍ରୀ ଅମିତ ଶାହା ମଣିପୁର ଗସ୍ତରେ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି । ଦଙ୍ଗାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଏହି ହିଂସାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ମଣିପୁରର ବିଶିଷ୍ଟ କ୍ରୀଡ଼ାବିତ୍ ।  ସେମାନେ ଏ ନେଇ ସରକାରଙ୍କୁ ଅଲ୍ଟିମେଟମ୍ ଦେଇଛନ୍ତି । ଅଲିମ୍ପିକ୍ସ ପଦକ ବିଜେତା ମୀରାବାଇ ଚାନୁଙ୍କ ସମେତ ମଣିପୁରର ମୋଟ ୧୧ ଜଣ କ୍ରୀଡ଼ାବିତ୍ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ଯଥାଶୀଘ୍ର ଶାନ୍ତି ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି। ଏଥିସହିତ ଯଦି ଖୁବଶୀଘ୍ର ତାଙ୍କ ରାଜ୍ୟରେ ଶାନ୍ତି ବଜାୟ ନ ଆସେ ତେବେ ସେମାନେ ପୁରସ୍କାର ଫେରାଇଦେବେ ବୋଲି ଚେତାବନୀ ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିବା ଖେଳାଳିଙ୍କ ମଧ୍ୟରେ ଅଛନ୍ତି ପଦ୍ମ ପୁରସ୍କାର ପ୍ରାପ୍ତ ଭାରୋତ୍ତୋଳକ କୁଞ୍ଜରାଣୀ ଦେବୀ, ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ବିମ୍ ବିମ୍ ଦେବୀ, ବକ୍ସର ଏଲ୍ ସରିତା ଦେବୀ ଏବଂ ଅନ୍ୟମାନେ। ଯଥାଶୀଘ୍ର ୨ ନମ୍ବର ଜାତୀୟ ରାଜପଥ ଖୋଲିବାକୁ ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମଣିପୁରରେ ଆଜିକାଲି ସଂରକ୍ଷଣର ନିଆଁ ଜାରି ରହିଛି। ଏହି ବିବାଦ ମୈତେଇ ଓ କୁକି ଜନଜାତି ମଧ୍ୟରେ ରହିଛି । ମୈତେଇ ସମାଜ ନିଜକୁ ଅନୁସୂଚିତ ଜନଜାତି ଅଧୀନରେ ଆଣିବାକୁ ଚାହୁଁଛି । କିନ୍ତୁ ଏହାକୁ ଅନ୍ୟ ଜନଜାତିମାନେ ବିରୋଧ କରୁଛନ୍ତି ।

ସମ୍ବନ୍ଧିତ ଖବର