ମଣିପୁର: ମଣିପୁରରବାସୀଙ୍କୁ ସେମାନଙ୍କ ସୁରକ୍ଷା ବିଷୟରେ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ ଉଗ୍ରପନ୍ଥୀମାନଙ୍କ ସହିତ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଅଛୁ, କିନ୍ତୁ ସେମାନଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ କଦାପି ବରଦାସ୍ତ କରାଯିବ ନାହିଁ। ଉଗ୍ରବାଦୀଙ୍କ ସହ ସେମାନଙ୍କର କେତେକ ଦାବି ନେଇ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିବାକୁ ଆମେ ପ୍ରସ୍ତୁତ ଅଛୁ। ତେବେ ଦେଶର ସୁରକ୍ଷା ଓ ସାର୍ବଭୌମତ୍ବକୁ ନେଇ କୌଣସି ସାଲିସ କରାଯିବ ନାହିଁ। ଉଗ୍ରପନ୍ଥୀମାନେ ଦେଶ ବିରୋଧୀ ମାନସିକତା ପରିହାର ନକଲେ ସେମାନଙ୍କୁ ଏହାର ପରିଣାମ ସାମ୍ନା କରିବାକୁ ପଡିବ ବୋଲି ସେ କହିଛନ୍ତି।

Advertisment

ସାଧାରଣ ନାଗରିକଙ୍କୁ ହତ୍ୟାରେ ସାମିଲ ଥିବା ଉଗ୍ରପନ୍ଥୀଙ୍କୁ କଠୋର ହସ୍ତରେ ଦମନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମିଆଁମାର ସୀମା‌ ଅଂଚଳରେ ଆଡ଼ା ସ୍ଥାପନ କରି ଆତଙ୍କବାଦୀମାନେ ଏହାର ଫାଇଦା ଉଠାଉଛନ୍ତି। ରାଜ୍ୟ ଭିତରେ ଅନ୍ୟ ସାଧାରଣ ସ୍ଥାନରେ ଲୋକଙ୍କ ପ୍ରତି କୌଣସି ବିପଦ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତ ଏକ ଗଣତାନ୍ତ୍ରିକ ଦେଶ ଏବଂ ଯଦି କେହି କିଛି କହିବାକୁ ଚାହାନ୍ତି ତେବେ ସେମାନଙ୍କୁ ଆମେ ସ୍ବାଗତ କରିବୁ। କିନ୍ତୁ ଭାରତ ବିରୋଧୀ ଏବଂ ଜାତୀୟତା ବିରୋଧ ଭାବନାକୁ କୌଣସି ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବିରେନ ସିଂହ ସ୍ପଷ୍ଟ କରିଛନ୍ତି।