ମଣିପୁରରେ ସେନାର ସ୍ବତନ୍ତ୍ର କ୍ଷମତା ପ୍ରତ୍ୟାହାର ପାଇଁ ଦାବି କରିବି : ନିର୍ବାଚନ ଜିତିବା ପରେ କହିଲେ ମୁଖ୍ୟମନ୍ତ୍ରୀ ବୀରେନ ସିଂ

ଇମ୍ଫାଲ : ମଣିପୁରରେ ପୁଣି ଥରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଢିବା ଆଡ଼କୁ ଅଗ୍ରସର ହେଉଛି ।  ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଏନ.ବୀରେନ ସିଂ ହେନଗାଙ୍ଗ୍ ଆସନରୁ ବିଜୟୀ ହୋଇଛନ୍ତି । ସେ ନିଜର ନିକଟତମ ପ୍ରତିଦ୍ବନ୍ଦୀ ତଥା କଂଗ୍ରେସ ପ୍ରାର୍ଥୀ ପି.ଶରଚ୍ଚନ୍ଦ୍ର ସିଂଙ୍କୁ ୧୮,୨୭୧ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।

ବିଜୟ ପରେ ବୀରେନ ସିଂ କହିଛନ୍ତି ଯେ ସେ ସଂପୂର୍ଣ୍ଣ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ ଓ କିଛି ସମୟ ନେଇ ରାଜ୍ୟପାଳଙ୍କୁ ଭେଟିବେ ଓ ସରକାର ଗଠନ ପାଇଁ ଦାବି କରିବେ । ମଣିପୁରର କେତେକ ସୀମାବର୍ତ୍ତୀ ଜିଲ୍ଲାକୁ ଛାଡ଼ି ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରୁ ଏଏଫଏସପିଏ (ସେନାର ସ୍ବତନ୍ତ୍ର କ୍ଷମତା ଆଇନ)  ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଦାବି କରିବେ । ନିର୍ବାଚନରେ ଏହା ଏକ ବଡ଼ ପ୍ରସଙ୍ଗ ହୋଇଥିଲା ।

ସଦ୍ୟତମ ରିପୋର୍ଟ ଅନୁସାରେ ବିଜେପି ୩୧ଟି ଆସନରେ ଆଗୁଆ ରହିଛି । ୬୦ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭା ଆସନରେ ସରକାର ଗଢିବାକୁ ୩୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ବିଜେପିକୁ କେତେକ ସ୍ବାଧୀନ ବିଧାୟକ ସମର୍ଥନ କରିବାର ସମ୍ଭାବନା ଥିବାରୁ ବିଜେପି ସହଜରେ ସରକାର ଗଢିବାକୁ ଆଶା ରଖିଛି ।

ସମ୍ବନ୍ଧିତ ଖବର