ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଆଜି ଚତୁର୍ଦ୍ଦଶ ଦିବସରେ ଲୋକସଭାରେ ମଣିପୁର ଜିଏସ୍‌ଟି  ସଂଶୋଧନ ବିଲ୍‌, ୨୦୨୫ ଗୃହୀତ ହୋଇଛି। ବିହାରରେ ଏସ୍ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ଉପରେ ଆଲୋଚନା ଦାବି କରି ଆଜି ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିବା ବେଳେ ବିନା ଆଲୋଚନାରେ ଲୋକସଭାରେ ମଣିପୁର ଜିଏସ୍‌ସି ସଂ‌ଶୋଧନ ବିଲ୍‌, ୨୦୨୫ ଗୃହୀତ ହୋଇଛି। ଅନ୍ୟପକ୍ଷେ ରାଜ୍ୟସଭାରେ ଆଜି କୋଷ୍ଟାଲ୍‌ ସିପିଂ ବିଲ୍‌, ୨୦୨୫ ଗୃହୀତ ହୋଇଛି। ବିରୋଧୀଙ୍କ ତୀବ୍ର ବିରୋଧ ଏବଂ ହୋହଲ୍ଲା ସତ୍ତ୍ବେ ଆଜି ଏହି ବିଲ୍‌ ଉପରେ ସ୍ବଳ୍ପ ସମୟର ଆଲୋଚନା ପରେ ବିଲ୍‌ଟି ଗୃହୀତ ହୋଇପାରିଛି। 
ଆଜି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗୃହ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବାପାଇଁ ଚେଷ୍ଟା କରିଥିଲେ। ପ୍ରଶ୍ନ କାଳରେ ସେ ସାଂସଦମାନଙ୍କୁ ସ୍ମାର୍ଟ ସିଟି ମିସନ୍‌ ଉପରେ ପ୍ରଶ୍ନ କରିବାକୁ ଅନୁମତି ଦେଇଥିଲେ।  ୧୦ ମିନିଟ୍‌ ପରେ ବାଚସ୍ପତି କହିଥିଲେ ଯେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲୁ ବୋଲି ସେ ଚାହାନ୍ତି। କିନ୍ତୁ ବିରୋଧୀ ସଦସ୍ୟମାନେ ସେମାନଙ୍କ ହଟ୍ଟଗୋଳ ଜାରି ରଖିଥିଲେ। ବାଚସ୍ପତି ଏଥିରେ ତୀବ୍ର ଅସ‌‌ନ୍ତୋଷ ପ୍ରକାଶ କରି କହିଥିଲେ ଯେ ଏମିତି ସ୍ଥିତିରେ ଗୃହ କାର୍ଯ୍ୟ ଚାଲିପାରିବନି। ଆପଣମାନେ ଗୃହକାର୍ଯ୍ୟ କରାଇ ଦେବାପାଇଁ ଚାହାନ୍ତିନି।  ଲଗତାର ହଙ୍ଗାମା ଯୋଗୁ ଆଜି ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ଅଗଷ୍ଟ ୮ ତାରିଖ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। 
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବିରୋଧୀ ଦଳଙ୍କୁ ଦାୟୀ କରି କହିଛନ୍ତି ଯେ ବିରୋଧୀମାନେ ମଣିପୁର ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ।   ନିର୍ମଳା କହିଛନ୍ତି, ବିରୋଧୀମାନେ  ମଣିପୁରକୁ ସହାୟତା ଯିବାପାଇଁ ଚାହାନ୍ତିନି ଏବଂ ସେମାନେ ଉକ୍ତ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ମଧ୍ୟ ଅନୁମତି ଦେଉନାହାନ୍ତି। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଆଜି ଦେଶ ଏକ ବିପଜ୍ଜନକ ପର୍ଯ୍ୟାୟ ଦେଇ ଗତି କରୁଛି।   

Advertisment