ନୂଆଦିଲ୍ଲୀ: ମଣିପୁରର ବିଦ୍ରୋହୀ ସଂଗଠନ ୟୁନାଇଟେଡ୍ ନ୍ୟାସନାଲ ଲିବରେସନ ଫ୍ରଣ୍ଟ (ୟୁଏନ୍ଏଲ୍ଏଫ୍) କେନ୍ଦ୍ର ସରକାରଙ୍କ ସହ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର କହିଛନ୍ତି।
ସ୍ୱାକ୍ଷରିତ ହୋଇଥିବା ଶାନ୍ତି ଚୁକ୍ତି ସଂପର୍କରେ ଘୋଷଣା କରି ଅମିତ ଶାହା କହିିଛନ୍ତି, ‘ମଣିପୁରର ସବୁଠାରୁ ପୁରୁଣା ଉପତ୍ୟକା ଭିତ୍ତିକ ସଶସ୍ତ୍ର ଗୋଷ୍ଠୀ ୟୁଏନଏଲଏଫ ହିଂସା ତ୍ୟାଗ କରି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ରାଜି ହୋଇଛି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ମୁଁ ସେମାନଙ୍କୁ ସ୍ୱାଗତ କରୁଛି ଏବଂ ଶାନ୍ତି ଓ ପ୍ରଗତି ପଥରେ ସେମାନଙ୍କ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଉଛି’। ୟୁଏନଏଲଏଫ୍ କ୍ୟାଡରମାନେ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିବା ପରେ ଅସ୍ତ୍ରଶସ୍ତ୍ର ସମର୍ପଣ କରୁଥିବାର ଏକ ଭିଡିଓ ମଧ୍ୟ ସେ ସେୟାର କରିଛନ୍ତି।
ମେ’ ୩ ତାରିଖରେ ମଣିପୁର ରାଜ୍ୟରେ ଜାତିଗତ ହିଂସା କାଣ୍ଡ ଘଟିବା ପରେ ପ୍ରଥମ ଥର ପାଇଁ ଉପତ୍ୟକାସ୍ଥିତ ନିଷିଦ୍ଧ ସଂଗଠନ ସରକାରଙ୍କ ସହ ଶାନ୍ତି ଆଲୋଚନା କରିଛି।
ଗତ ନଭେମ୍ବର ୧୩ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ୮ଟି ‘ମେଇତେଇ ଉଗ୍ରବାଦୀ ସଂଗଠନ’ ଉପରେ ଲାଗିଥିବା ନିଷେଧାଦେଶକୁ ବୃଦ୍ଧି କରି ସେମାନଙ୍କୁ ‘ବେଆଇନ ସଂଗଠନ’ ଘୋଷଣା କରିଥିଲା। ଏହି ନିଷିଦ୍ଧ ଗୋଷ୍ଠୀ ମଧ୍ୟରେ ୟୁଏନଏଲଏଫ ମଧ୍ୟ ସାମିଲ ଥିଲା।
ତେବେ ଏହାର କିଛି ଦିନ ପରେ ନଭେମ୍ବର ୨୬ ତାରିଖରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହ ଘୋଷଣା କରିଥିଲେ ଯେ ରାଜ୍ୟ ସରକାର ୟୁଏନଏଲଏଫ ସହ ଏକ ଐତିହାସିକ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛନ୍ତି।
ମଙ୍ଗଳବାର ଦିନ କେନ୍ଦ୍ର ଗୃହ ମନ୍ତ୍ରାଳୟ ଘୋଷଣା କରିଛି ଯେ ମଣିପୁରର ମେଇତେଇ ଆତଙ୍କବାଦୀ ଗୋଷ୍ଠୀ ଉପରେ ନିଷେଧାଦେଶ ଲାଗୁ କରିବା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଅଛି କି ନାହିଁ ଏବଂ ଏହି କଟକଣା ଜାରି ରହିବା ଉଚିତ କି ନାହିଁ ତାହା ସ୍ଥିର କରିବା ପାଇଁ ଏକ ଟ୍ରିବ୍ୟୁନାଲ ଗଠନ କରାଯାଇଛି।
ଗୁଆହାଟି ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମେଢ଼ିଙ୍କୁ ନେଇ ଗଠିତ ବେଆଇନ କାର୍ଯ୍ୟକଳାପ ନିବାରଣ ଟ୍ରିବ୍ୟୁନାଲ ଏହି ସଂଗଠନଗୁଡ଼ିକୁ ‘ବେଆଇନ ସଂଗଠନ’ ଭାବେ ଘୋଷଣା କରିବା ଏବଂ ସେମାନଙ୍କୁ ନିଷିଦ୍ଧ କରିବା ପାଇଁ ଯଥେଷ୍ଟ କାରଣ ଅଛି କି ନାହିଁ ତାହା ବିଚାର କରିବେ।