ମଣିପୁରରେ ରେଳବାଇ ତିଆରି କରୁଛି ବିଶ୍ବର ସବୁଠୁ ଉଚ୍ଚ ବ୍ରିଜ୍‌

ମଣିପୁର : ଭାରତୀୟ ରେଳ ବିଭାଗ ମଣିପୁରରେ ବିଶ୍ବର ସବୁଠାରୁ ଉଚ୍ଚ ବ୍ରିଜ୍‌ ନିର୍ମାଣ କରୁଛି। ଏହା ୧୧୧ କିଲୋମିଟର ଲମ୍ବ ଜେରୀବାମ-ଇମ୍ଫାଲ ରେଳ ପରିଯୋଜନାର ଅଂଶବିଶେଷ। ୟୁରୋପର ମୋଣ୍ଟେନେଗ୍ରୋର ୧୩୯ ମିଟର ମାଲା-ରେଜେକା ୱାଇଡକ୍ଟର ରେକର୍ଡ ଭାଙ୍ଗି ୧୪୧ ମିଟର ଉଚ୍ଚତାର ଏହି ବ୍ରିଜ୍‌ ତିଆରି ହେଉଛି। ଏହି ପ୍ରକଳ୍ପ ସରକାରଙ୍କ ‘ଆକ୍ଟ ଇଷ୍ଟ’ ନୀତିର ଅଂଶ ବିଶେଷ। ଯାହା ପୂର୍ବୋତ୍ତରରେ ଥିବା ସମସ୍ତ ରାଜ୍ୟର ରାଜଧାନୀଗୁଡ଼ିକୁ ବ୍ରଡ୍‌ ଗେଜ୍‌ ସହ ସଂଯୁକ୍ତ କରିବା ସହ ସୀମାବର୍ତ୍ତୀ ଅଞ୍ଚଳରେ ରେଳ ନେଟ୍‌ୱାର୍କକୁ ମଜଭୁତ କରିବା ଲକ୍ଷ୍ୟରେ କାମ କରୁଛି। ଏହି ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ସନ୍ଦୀପ ଶର୍ମା କହିଛନ୍ତି, ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୧୧୧ କିଲୋମିଟର ରାସ୍ତା ୨ରୁ ଅଢ଼େଇ ଘଣ୍ଟା ମଧ୍ୟରେ ଅତିକ୍ରମ କରିହେବ। ସମ୍ପ୍ରତି ଜେରୀବାମ-ଇମ୍ଫାଲ (ଏନ୍‌ଏଚ୍‌-୩୭) ମଧ୍ୟରେ ଦୂରତା ୨୨୦ କିଲୋମିଟର। ସଡ଼କ ପଥରେ ଯାତ୍ରା କଲେ ୧୦ରୁ ୧୨ ଘଣ୍ଟା ସମୟ ଲାଗୁଛି। ବ୍ରିଜ୍ ନିର୍ମାଣ ସରିଲେ ନୋନୀ ଘାଟିକୁ ପାର ହେବାକୁ ଥିବା ଏହି ବ୍ରିଜ୍‌ ବିଶ୍ବର ଉଚ୍ଚତମ ବ୍ରିଜ୍‌ର ମାନ୍ୟତା ପାଇବ। । ଏହି ବ୍ରିଜ୍‌ର ଲମ୍ବ ୭୦୩ ମିଟର ରହିଛି।

ସମ୍ବନ୍ଧିତ ଖବର