ଇମ୍ଫାଲ: ଅଳ୍ପ କିଛିଦିନର ବ୍ୟବଧାନ ପରେ ଦେଶର ଉତ୍ତର ପୂର୍ବ ରାଜ୍ୟ ମଣିପୁର ପୁଣି ଅଶାନ୍ତ ହୋଇ ଉଠିଛି। ଦୁଇ ଗୋଷ୍ଠୀ ମଧ୍ୟରେ ସାନି ହିଂସା ଯୋଗୁ ଆଜି ରାଜ୍ୟର ତେଙ୍ଗନୌପଲ ଜିଲ୍ଲାରେ ଅତିକମ୍ରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ସୁରକ୍ଷା ଅଧିକାରୀଙ୍କ କହିବାନୁଯାୟୀ, ତେଙ୍ଗନୌପଲ ଜିଲ୍ଲାର ସାଇବୋଲ୍ ନିକଟ ଲିଥୁ ଗ୍ରାମରେ ଉଗ୍ରବାଦୀଙ୍କ ଦୁଇଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ହୋଇଛି। ଏହି ସୂଚନା ମିଳିବା ପରେ ୧୦ କିମି ଦୂରରେ ଥିବା ସୁରକ୍ଷା କର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସୁରକ୍ଷା କର୍ମୀ ପହଞ୍ଚି ଲିଥୁ ଗ୍ରାମରେ ୧୩ ଜଣଙ୍କ ମୃତଦେହ ଠାବ କରିଛନ୍ତି। ତେବେ ସେମାନଙ୍କ ମରଶରୀର ନିକଟରେ କୌଣସି ଅସ୍ତ୍ର ପଡ଼ି ନଥିଲା। ଅଧିକାରୀଙ୍କ କହିବାନୁଯାୟୀ, ମୃତକମାନେ ଲିଥୁ ଅଞ୍ଚଳର ନୁହନ୍ତି। ସେମାନେ ଅନ୍ୟ କୌଣସି ସ୍ଥାନରୁ ଆସିଥାଇ ପାରନ୍ତି। ସେମାନଙ୍କର ଅନ୍ୟ ଏକ ଗୋଷ୍ଠୀ ସହିତ ଗୁଳି ବିନିମୟ ହୋଇଛି। ତେବେ ମୃତକମାନଙ୍କ ପରିଚୟ ସଂପର୍କରେ ପୁଲିସ କିମ୍ବା ସୁରକ୍ଷା କର୍ମୀ କେହି ମୁହଁ ଖୋଲିନାହାନ୍ତି। ଘଟଣା ସ୍ଥଳରେ ପୁଲିସ ପାଟ୍ରୋଲିଂ ସହିତ ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମେ’ ୩ ତାରିଖରୁ ମଣିପୁରରେ ମୈତେୟୀ ଓ କୁକି ସଂପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହୋଇଛି। ଏହି ହିଂସା ଭୟଙ୍କର ରୂପ ନେବା ଫଳରେ ପ୍ରାୟ ୧୮୨ ଜଣଙ୍କର ମୃତ୍ୟୁ ହୋଇଛି। ଜଳାପୋଡ଼ା ଯୋଗୁ ପ୍ରାୟ ୫୦ ହଜାର ଲୋକ ଗୃହଶୂନ୍ୟ ହୋଇଛନ୍ତି। କେତେକ ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ବାଦ୍ଦେଲେ ଗତକାଲି (ରବିବାର) ମଣିପୁରରୁ ଦୀର୍ଘ ସାତ ମାସ ପରେ ପ୍ରଶାସନ ମୋବାଇଲ ଇଣ୍ଟରନେଟ୍ ଲାଗିଥିବା କଟକଣାକୁ ହଟାଇଥିଲେ। କେନ୍ଦ୍ର ସରକାର ଓ ମଣିପୁର ସରକାର ଦିଲ୍ଲୀଠାରେ ରାଜ୍ୟର ପୁରାତନ ଉଗ୍ରବାଦୀ ଗୋଷ୍ଠୀ ୟୁଏନ୍ଏଲ୍ଏଫ୍ ( ୟୁନାଇଟେଡ ନ୍ୟାସନାଲ ଲିବରେସନ ଫୋର୍ସ) ସହିତ ଶାନ୍ତି ରାଜିନାମା କରିବାର ୪ ଦିନ ପରେ ମୋବାଇଲ ଇଣ୍ଟରନେଟ୍ ବ୍ୟବହାର କଟକଣାକୁ ହଟାଇଥିଲେ। କଟକଣା ହଟିବା ପରଦିନ ସାନି ହିଂସା ଦେଖାଦେଇଛି।