ନୂଆଦିଲ୍ଲୀ : ମୌସୁମୀ ଅଧିବେଶନର ତୃତୀୟ ଦିନରେ ଆଜି ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ମଣିପୁର ପ୍ରସଙ୍ଗକୁ ନେଇ ଆଜି ମଧ୍ୟ ଉଭୟ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟ ହୋଇପାରିନାହିଁ। ବିରୋଧୀ ସଦସ୍ୟମାନେ ମଣିପୁର ପ୍ରସଙ୍ଗରେ ଗୃହ‌ରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରି ଲଗାତାର ହୋହଲ୍ଲା ଏବଂ ହଟ୍ଟଗୋଳ କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି । ଫଳରେ ଲଗାତାର ତୃତୀୟ ଦିନଲାଗି ଗୃହ କାର୍ଯ୍ୟ ଧୋଇଯାଇଛି। ବିରୋଧୀ ସାଂସଦମାନେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ଦାବି ନେଇ ଅଡ଼ି ବସିଛନ୍ତି। କିନ୍ତୁ ଅନ୍ୟପକ୍ଷରେ ବିରୋଧୀ ସଦସ୍ୟମାନେ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରି ଆଲୋଚନାରୁ ଦୂରେଇ ରହୁଛନ୍ତି ବୋଲି ଶାସକ ବିଜେପି ଦାବି କରିଛି। ସଂସଦରେ ଅଚଳାବସ୍ଥା ଜାରି ରହିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଂସଦରେ ତାଙ୍କ ଅଫିସରେ ଭେଟିଛନ୍ତି। ଗୃହକାର୍ଯ୍ୟ କିଭଳି ସୁରୁଖୁରୁରେ ଚାଲିପାରିବ ସେନେଇ ପ୍ରଧାନମନ୍ତ୍ରୀଙ୍କ ସହ ସେମାନେ ଆଲୋଚନା କରିଥିବା ଜଣାପଡ଼ିଛି। ପୃଥକ୍‌ ଭାବେ ପ୍ରତିରକ୍ଷା ମନ୍ତ୍ରୀ ତଥା ଲୋକସଭା ଉପନେତା ରାଜନାଥ ସିଂହ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଅନ୍ୟ ବରିଷ୍ଠ ବିରୋଧୀ ନେତାଙ୍କ ସହ ଫୋନ୍‌ରେ କଥା ହୋଇ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଲୋକସଭାରେ କହିଛନ୍ତି ଯେ ସରକାର ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ମଣିପୁର ସତ ଦେଶ ସାମ୍ନାକୁ ଆସିବା ଉଚିତ। ସରକାର ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ କିନ୍ତୁ ବିରୋଧୀମାନେ କାହିଁକି ଏଥିପାଇଁ ଅନୁମତି ଦେଉନାହାନ୍ତି ତାହା ମୁଁ ବୁଝିପାରୁନି ବୋଲି ଶାହ କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀଙ୍କ ବିବୃତି ପାଇଁ ଅଡ଼ିବସିଛନ୍ତି ବିରୋଧୀ

ଆପ୍‌ ସାଂସଦ ସଂଜୟ ସିଂହ ରାଜ୍ୟସଭାରୁ ନିଲମ୍ବିତ

ମୋଦୀଙ୍କ ସହ କଥା ହେଲେ ଶାହ, ନଡ୍ଡା

ବରିଷ୍ଠ ବିରୋଧୀ ନେତାଙ୍କ ସହ ରାଜନାଥଙ୍କ ଆଲୋଚନା

ବିରୋଧୀ ସାଂସଦମାନେ ପ୍ଲାକାର୍ଡ ଧରି ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ଦାବି କରି ସ୍ଲୋଗାନ ଦେଇଛନ୍ତି। ଆପ୍‌ ସାଂସଦ ସଂଜୟ ସିଂହ ଆଜି ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି। ରାଭ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆପ୍‌ ସାଂସଦ ସଂଜୟ ସିଂହଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଗୃହରୁ ନିଲମ୍ବିତ କରିଛନ୍ତି। ରାଜ୍ୟସଭାରେ ପ୍ରଶ୍ନକାଳ ଚାଲିଥିବାବେଳେ ଆପ୍‌ ସାଂସଦ ସଂଜୟ ସିଂହ ହଠାତ୍‌ ଗୃହର ମଧ୍ୟଭାଗକୁ ଯାଇ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ଦାବି କରି ସ୍ଲୋଗାନ ଦେଇଥିଲେ ଏବଂ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଧନଖଡ଼ ତାଙ୍କୁ ଆସନକୁ ଫେରିଯିବାପାଇଁ ବାରମ୍ବାର ଅନୁରୋଧ କରିଥିଲେ ସୁଦ୍ଧା ସେ ଶୁଣିନଥିଲେ। ଏହାପରେ ଗୃହର ନେତା ପୀୟୁଷ ଗୋୟଲ ସଂଜୟ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ଗୃହରୁ ନିଲମ୍ବିତ କରିବା ପାଇଁ ପ୍ରସ୍ତାବ ଆଣିଥିଲେ। ଗୃହର ଶୃଙ୍ଖଳା ଭଙ୍ଗ କରିଥିବାରୁ ରାଜ୍ୟସଭା ଅଧ୍ୟକ୍ଷ ସଂଜୟ ସିଂହଙ୍କୁ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରିଛନ୍ତି।

ଲୋକସଭାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି । ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ କଂଗ୍ରେସ, ଡିଏମ୍‌କେ, ବାମ ଦଳ ଏବଂ ଅନ୍ୟ ବିରୋଧୀ ନେତାମାନେ ମଣିପୁର ପ୍ରସଙ୍ଗରେ ସ୍ଲୋଗାନ ଦେଇଥିଲେ। ବାଚସ୍ପତି ଓମ୍‌ ବିର୍ଲା କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ କହିବା ପାଇଁ ଅନୁମତି ଦେଇଥିଲେ। ଚୌଧୁରୀ କହିଥିଲେ, ପ୍ରଧାନମନ୍ତ୍ରୀ ମଣିପୁର ପ୍ରସଙ୍ଗରେ ଗୃହରେ ନିଜଆଡ଼ୁ ମନ୍ତବ୍ୟ ରଖିବା ଉଚିତ। ଏହାର ଉତ୍ତରରେ ବିର୍ଲା କହିଥିଲେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ କହିଥିଲେ ଯେ ସରକାର ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।। କିନ୍ତୁ ହଟ୍ଟଗୋଳ ମଧ୍ୟରେ ଗୃହ ଅଚଳ ହେବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି।