ମଣିପୁର ଭୂସ୍ଫଳନ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ଇମ୍ଫାଲ : ମଣିପୁରର ନୋନି ଜିଲ୍ଲାରେ ରେଳ ଧାରଣା ନିର୍ମାଣ ସ୍ଥଳରେ ହୋଇଥିବା ଭୂସ୍ଫଳନରେ ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଗତକାଲି ସୁଦ୍ଧା ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଜି ସନ୍ଧ୍ୟା ସୁଦ୍ଧା ଆଉ ୧୨ ଜଣଙ୍କର ମୃତଦେହ ମିଳିଛି। ୧୨ ଜଣ ମୃତକଙ୍କ ମଧ୍ୟରେ ୧୦୭ ଟେରିଟୋରିଆଲ ସେନାର ୮ ଜଣ ନିଖୋଜ କର୍ମଚାରୀ ଥିବାବେଳେ ୪ ଜଣ ଶ୍ରମିକ। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଟେରିଟୋରିଆଲ ସେନାର ୧୩ ଜଣ ଏବଂ ୫ ଜଣ ବେସାମରିକ ବ୍ୟକ୍ତିଙ୍କୁ ନିରାପଦରେ ଉଦ୍ଧାର କରାଯାଇଛି। ଟେରିଟୋରିଆଲ ସେନାର କର୍ମଚାରୀଙ୍କ ପାର୍ଥିକ ଶରୀରକୁ ସଂପୂର୍ଣ୍ଣ ସାମରିକ ସମ୍ମାନ ସହିତ ସେମାନଙ୍କ ଘରକୁ ପଠାଯାଇଛି। ଏଥିସହିତ ନିଖୋଜ ୪୪ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଖୋଜ ୪୪ ଜଣଙ୍କ ମଧ୍ୟରେ ୧୫ ଜଣ ଟେରିଟୋରିଆଲ ସେନାର ହୋଇଥିବାବେଳେ ୨୯ ଜଣ ବେସାମରିକ ବ୍ୟକ୍ତି ଅଛନ୍ତି। ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂହ ଶୁକ୍ରବାର ଦ୍ବିତୀୟ ଦିନ ପାଇଁ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ନିରୀକ୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର