ନୂଆଦିଲ୍ଲୀ: ମଣିପୁରରେ ଆଜି ଅର୍ଦ୍ଧସାମରିକ ବାହିନୀର ଏକ କନ୍ଭୟ ଉପରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ବିଷ୍ଣୁପୁର ଜିଲ୍ଲାର ନାମ୍ବୋଲ ସବାଲ ଲେଇକାଇରେ ଆସାମ ରାଇଫଲ୍ସର ଗାଡ଼ିମାଳ ଉପରେ ଆତଙ୍କବାଦୀମାନେ ଅତର୍କିତ ଗୁଳିବର୍ଷା କରିବାରୁ ୩୩ ନମ୍ବର ବାଟାଲିୟନର ଦୁଇ ଯବାନ ସହିଦ ହୋଇଛନ୍ତି। ଆକ୍ରମଣରେ ଅନ୍ୟ ୪ ଜଣ ଯବାନ ଆହତ ହୋଇଛନ୍ତି। ସନ୍ଧ୍ୟା ୫.୫୦ ସମୟରେ ଏହି ଆକ୍ରମଣ ହୋଇଛି। ଯବାନମାନେ ଇମ୍ଫାଲରୁ ବିଷ୍ଣୁପୁରକୁ ଯାଉଥିବାବେଳେ ରାସ୍ତାରେ ଏହି ଆକ୍ରମଣ ହୋଇଥିଲା। ଆହତ ଯବାନମାନଙ୍କୁ ନିକଟସ୍ଥ ରିଜିଓନାଲ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ (ରିମ୍ସ) ସମେତ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ଯବାନଙ୍କ ଅବସ୍ଥା ଗୁରୁତର ରହିଛି। ଆସାମ ରାଇଫଲ୍ସ ଏବଂ ମଣିପୁର ପୁଲିସର ଅତିରିକ୍ତ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି ଏବଂ ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ଏକ ବୃହତ୍ କମ୍ବିଂ ଅପରେସନ୍ ଆରମ୍ଭ କରିଛନ୍ତି। ମଣିପୁରର ଆତଙ୍କବାଦୀ ଗୋଷ୍ଠୀ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଏହି ଆକ୍ରମଣ ପଛରେ ଥାଇପାରେ ବୋଲି ସନ୍ଦେହ କରାଯାଉଛି।
ଆସାମ ରାଇଫଲ୍ସର ୨ ଯବାନ ସହିଦ,୪ ଆହତ/ବିଶାଳ କମ୍ବିଂ ଅପରେସନ୍
ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଏହି ଆକ୍ରମଣକୁ କଡ଼ା ନିନ୍ଦା କରି କହିଛନ୍ତି, ଏଭଳି ଘୃଣ୍ୟ ହିଂସାକୁ ବରଦାସ୍ତ କରାଯିବ ନାହିଁ। ରାଜ୍ୟପାଳ ଚେତାବନୀ ଦେଇଛନ୍ତି ଯେ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ରକ୍ଷା କରିବା ପାଇଁ ଦୃଢ଼ ସଂକଳ୍ପ ସହିତ ମୁକାବିଲା କରାଯିବ। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ରାଜ୍ୟପାଳ ସମବେଦନା ଜଣାଇଛନ୍ତି ଏବଂ ଆହତଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ପୂର୍ବତନ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ମଧ୍ୟ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ଏବଂ ଏହା ରାଜ୍ୟକୁ ଏକ ନିଷ୍ଠୁର ଆଘାତ ବୋଲି କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ ଏକ ପୋଷ୍ଟ୍ କରି କହିଛନ୍ତି, ‘ନାମ୍ବୋଲ ସବାଲ ଲେଇକାଇ’ରେ ୩୩ ଆସାମ ରାଇଫଲ୍ସ ଯବାନଙ୍କ ଉପରେ ଆକ୍ରମଣ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ୨ ଜଣ ଯବାନ ସହିଦ ହେବା ଏବଂ ଅନ୍ୟମାନେ ଆହତ ହେବା ଆମ ସମସ୍ତଙ୍କ ପାଇଁ ଶକ୍ତ ଧକ୍କା। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ସମବେଦନା ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ସେମାନଙ୍କ ସାହସ ଏବଂ ତ୍ୟାଗ ଆମ ହୃଦୟରେ ଚିରଦିନ ପାଇଁ ରହିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।