କୋଲକାତା: ପଶ୍ଚିମବଙ୍ଗରେ ମଣିପୁର ଭଳି ମହିଳା ବିରୋଧୀ ହିଂସା ଘଟିଛି। ମାଲ୍‌ଦା ଜିଲ୍ଲାରେ ୨ ଜଣ ମହିଳାଙ୍କୁ ମାଡ଼ ମାରି ଅର୍ଦ୍ଧନଗ୍ନ ଅବସ୍ଥାରେ ରାସ୍ତାରେ ବୁଲାଯାଇଛି। ଚୋର ସନ୍ଦେହରେ ଉକ୍ତ ୨ ମହିଳାଙ୍କ ଉପରେ କିଛି ସ୍ଥାନୀୟ ଦୋକାନୀ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ମଧ୍ୟ ସାମିଲ ଅଛନ୍ତି। ଉକ୍ତ ୨ ମହିଳାଙ୍କୁ ନିସ୍ତୁକ ମାଡ଼ ମାରି ସେମାନେ ଅର୍ଦ୍ଧନଗ୍ନ ଅବସ୍ଥାରେ ରାସ୍ତାରେ ବୁଲାଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ୍‌ ହେବାପରେ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ଏହି ଭିଡିଓକୁ ଏବେ ଯାଞ୍ଚ କରୁଛି। ଗତ ୧୯ ତାରିଖରେ ମାଲଦାର ପାକୁଆହାଟ ଅଞ୍ଚଳରେ ଏହି ଘଟଣା ଘଟିଛି। ପୁଲିସ ଏବେ ଏହ‌ି ମାମଲାରେ ୫ ଜଣଙ୍କୁ ଅଟକ ରଖି ଜେରା କରୁଛି। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଅନେକ ସଂଖ୍ୟାରେ ମହିଳା ଉକ୍ତ ୨ ମହିଳାଙ୍କ ଉପରେ ଆକ୍ରମଣ କରିଛନ୍ତି। କିନ୍ତୁ ଘଟଣାରେ ପୁଲିସରେ କୌଣସି ଅଭିଯୋଗ ଦାଏର ହୋଇନି। ଉକ୍ତ ଘଟଣାର ତଦନ୍ତ କରିବାପରେ ପୁଲିସ କହିଛି ଉକ୍ତ ୨ ମହିଳା ଚୋରି କରୁଥିବା ଅଭିଯୋଗ କରି ସ୍ଥାନୀୟ ମହିଳା ଦୋକାନୀଙ୍କ ସମେତ ଅନ୍ୟମା‌ନେ ସେମାନଙ୍କୁ ମାଡ଼ ମାରିଥିଲେ। ସେମାନେ ଏହି ଘଟଣା ସଂକ୍ରାନ୍ତରେ ଭୟରେ ପୁଲିସରେ ମଧ୍ୟ ଅଭିଯୋଗ କରିନଥିଲେ।

Advertisment

ଅନ୍ୟପକ୍ଷେ ବିଜେପି ଦାବି କରିଛି ଯେ ପୁଲିସ ଉକ୍ତ ଘଟଣାରେ ନିରବଦ୍ରଷ୍ଟା ସାଜିଥିଲା। ବିଜେପିର ଆଇଟି ବିଭାଗ ମୁଖ୍ୟ ଅମିତ ମାଲବୀୟ ଏକ ଟ୍ବିଟର ପୋଷ୍ଟ୍‌ରେ କହିଛନ୍ତି, ପଶ୍ଚିମବଙ୍ଗ‌ରେ ହିଂସା ଜାରି ରହିଛି। ୨ ଆଦିବାସୀ ମହିଳାଙ୍କୁ ନିସ୍ତୁକ ମାଡ଼ ମାରି ଅର୍ଦ୍ଧନଗ୍ନ ଅବସ୍ଥାରେ ରାସ୍ତାରେ ବୁଲାଯାଇଛି। କିନ୍ତୁ ପୁଲିସ ନିରବଦ୍ରଷ୍ଟା ସାଜିଛି। ଜୁଲାଇ ୧୯ ତାରିଖରେ ମାଲଦାରେ ଏହି ଘଟଣା ଘଟିଛି ବୋଲି ମାଲବୀୟ ଦାବି କରିଛନ୍ତି। ସେ ମଧ୍ୟ ଏହି ଘଟଣାର ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି। ମାଲବୀୟ କହିଛନ୍ତି, ମମତା ଉକ୍ତ ଘଟଣାରେ ପାଟି ଫିଟାଉନାହାନ୍ତି। ଜଣେ ମୁଖ୍ୟମନ୍ତ୍ରୀ ଭାବେ ନିଜ ବିଫଳତା ପଦାରେ ପଡ଼ିଯିବ ବୋଲି ମମତା ପାଟି ଫିଟାଉନଥିବା ସେ କହିଛନ୍ତି।