ଇମ୍ଫାଲ୍‌: ମେ’ ୩ ତାରିଖ ଦିନ ପ୍ରତିବାଦ ରାଲି ସମୟରେ ମଣିପୁରରେ ବ୍ୟାପିଥିବା ହିଂସାକାଣ୍ଡ ଯୋଗୁଁ ପ୍ରାୟ ୫୪ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କଥା ସରକାରୀ ଅଧିକାରୀମାନେ ‘ନିଉଜ୍‌ ଏଜେନ୍‌ସି’ ‘ପିଟିଆଇ’କୁ କହିଛନ୍ତି।

Advertisment

କିନ୍ତୁ, ବେସରକାରୀ ହିସାବରେ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ବୋଲି ମଧ୍ୟ ‘ପିଟିଆଇ’ ରିପୋର୍ଟ କରିଛି।

ଆଜି ଇମ୍ଫାଲ୍‌ ଉପତ୍ୟକାରେ ଦୋକାନ ବଜାର ଖୋଲିବା ସଙ୍ଗେ ସଙ୍ଗେ ରାସ୍ତାରେ ଯାନବାହନ ଚଳାଚଳ କରିବାରୁ ଜନଜୀବନ ସ୍ବାଭାବିକ ହେଉଛି। ବହୁସଂଖ୍ୟକ ନିରାପତ୍ତା ବଳ ମୁତୟନ ହୋଇଥିଲେ ବି ଇମ୍ଫାଲ୍‌ ନଗରୀ ଏବଂ ଅନ୍ୟାନ୍ୟ ସ୍ଥାନରେ ଦୋକାନ ବଜାର ଖୋଲିବାରୁ ଆଜି ସକା‌ଳେ ଲୋକେ ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଖରିଦ କରିଛନ୍ତି।

ଇମ୍ଫାଲ୍‌ରେ ଥିବା ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ଲୋକେ ଲମ୍ବା ଧାଡ଼ିବାନ୍ଧି ଠିଆ ହୋଇଥିବା ଦେଖାଯାଇଛି। ଆଜି ‘ଇଣ୍ଡିଗୋ’ ଏୟାର୍‌ଲାଇନ୍‌ ମଧ୍ୟ ଇମ୍ଫାଲ୍‌ରୁ କୋଲ୍‌କାତାକୁ ଅତିରିକ୍ତ ବିମାନ ଚଳାଚଳ କରାଇବ ବୋଲି କହିଛି।

publive-image Image Courtesy of India Today

ମୃତ୍ୟୁ ହୋଇଯାଇଥିବା ୫୪ଜଣଙ୍କ ମଧ୍ୟରୁ ୧୬ଜଣଙ୍କ ଶବ ଚୁରାଚାନ୍ଦପୁର ଜିଲ୍ଲା ହସ୍ପିଟାଲ୍‌ର ଶବାଗାରରେ ରଖାଯାଇଥିବା ବ‌େଳେ ୧୫ଜଣଙ୍କ ଶବ ପୂର୍ବ ଇମ୍ଫାଲ୍‌ ଜିଲ୍ଲାର ‘ଜବାହରଲାଲ୍‌ ନେହେରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌’ରେ ଶବାଗାରରେ ରଖାଯାଇଥିବା କଥା ସରକାରୀ ଅଧିକାରୀମାନେ ‘ପିଟିଆଇ’କୁ କହିଛନ୍ତି।

publive-image Image Courtesy of NDTV

ଏହାଛଡ଼ା, ଇମ୍ଫାଲ୍‌ ପଶ୍ଚିମ ଜିଲ୍ଲା ଅନ୍ତର୍ଗତ ଲାମ୍ଫେଲ୍‌ସ୍ଥିତ ‘ରିଜିଓନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌’ ୨୩ଜଣଙ୍କ ମୃତ୍ୟୁ ରିପ‌ୋର୍ଟ କରିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ‘ଷ୍ଟୁଡେଣ୍ଟସ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର (ଏସ୍‌ଏଫ୍‌ଆଇ) ମଣିପୁର ଯୁବାମାନଙ୍କୁ ଅନୁରୋଧ କରିଛି।