ଇମ୍ଫାଲ୍: ଗୁରୁବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟରୁ ଫେରୁଥିବା ବେଳେ ମଣିପୁରର ଫେର୍ଜାୱାଲା ଜିଲ୍ଲା ଅନ୍ତର୍ଗତ ଥାନ୍ଲୋନ୍ ନିର୍ବାଚନ ମଣ୍ଡଳୀର ‘ବିଜେପି’ ବିଧାୟକ ବୁଙ୍ଗ୍ଜାଗିନ୍ ୱାଲ୍ଟେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣର ସରବ୍ୟ ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ବୋଲି ସମ୍ବାଦପତ୍ର ‘ଇଷ୍ଟ୍ ମୋଜୋ’ ରିପୋର୍ଟ କରିଛି।
ବିଧାୟକ ୱାଲ୍ଟେ କାର୍ରେ ଯାଉଥିବା ବେଳେ ‘ରିମ୍ସ୍’ ରୋଡ୍ରେ ଉତ୍ତ୍ୟକ୍ତ ଜନତା ତାଙ୍କ ଉପରେ ଆକ୍ରମଣ କରିଥିଲେ। ସେତେବେଳେ ସେ ମଣିପୁରରେ ଉପୁଜିଥିବା ଆଇନ-ଶୃଙ୍ଖଳା ପରିସ୍ଥିତି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇ ତାଙ୍କ ସରକାରୀ ବାସଭବନକୁ ଫେରୁଥିଲେ।
ଉକ୍ତ ବୈଠକରେ ଯୋଗ ଦେଇଥିବା ପାର୍ବତ୍ୟାଞ୍ଚଳର ଅନ୍ୟ ଜଣେ ନାଗା ବିଧାୟକ ଗଣମାଧ୍ୟମକୁ କହିଛନ୍ତି ଯେ, ଉତ୍ତ୍ୟକ୍ତ ଜନତା ୱାଲ୍ଟେଙ୍କୁ ଅଟକାଇ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ। ଚିକିତ୍ସା ନିମନ୍ତେ ବିମାନ ଯୋଗେ ତାଙ୍କୁ ଦିଲ୍ଲୀ ପଠାଯାଇ ପାରେ।
Image Courtesy of Jansattaବିଧାୟକ ୱାଲ୍ଟେଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିବାରୁ ଇମ୍ଫାଲ୍ସ୍ଥିତ ‘ରିଜିଓନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍’ରେ ତାଙ୍କର ଚିକିତ୍ସା ଚାଲିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ଫେର୍ଜାୱାଲା ଜିଲ୍ଲା ଅନ୍ତର୍ଗତ ଥାନ୍ଲୋନ୍ ନିର୍ବାଚନ ମଣ୍ଡଳୀରୁ ୩ଥର ବିଜୟୀ ହୋଇଥିବା ୱାଲ୍ଟେ ହେଉଛନ୍ତି କିକୁ ଜନଜାତି ସମ୍ପ୍ରଦାୟର ନେତା। ଗତ ‘ବିଜେପି’ ସରକାରରେ ସେ ମଣିପୁର ରାଜ୍ୟର ଜନଜାତି ବ୍ୟାପାର ଓ ପାର୍ବତ୍ୟାଞ୍ଚଳ ମନ୍ତ୍ରୀ ହୋଇଥିଲେ।
ସୂଚନାଯୋଗ୍ୟ, ଅନୁସୂଚିତ ଜନଜାତି ପାହ୍ୟା ପାଇଁ ଅଣଆଦିବାସୀ ମଣିପୁରୀମାନଙ୍କ ଦାବି ବିରୋଧରେ ଚୁରାଚାନ୍ଦପୁର ଅଞ୍ଚଳର ତୋର୍ବୁଙ୍ଗ୍ରେ ‘ଅଲ୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ୍ ୟୁନିୟନ୍ ମଣିପୁର’ (ଏଟିଏସ୍ୟୁଏମ୍) ଡାକରା ଦେଇଥିବା ‘ଟ୍ରାଇବାଲ୍ ସଲିଡାରିଟି ମାର୍ଚ’ ସମୟରେ ହିଂସାକାଣ୍ଡ ବ୍ୟାପିବାରୁ ଜିଲ୍ଲାର କେତେକ ପ୍ରଭାବିତ ଅଞ୍ଚଳରେ ସେନା ଓ ଆସାମ ରାଇଫଲ୍ ଯବାନମାନଙ୍କୁ ମୁତୟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Valte.jpg)