ଇମ୍ଫାଲ: ମଣିପୁର ଚାଲିଥିବା ଭୟାନକ ହିଂସାରେ ୫୪ ଜଣଙ୍କ ମୃତ୍ୟୁ ହେଲାଣି। ସରକାରୀ ସୂତ୍ର ଅନୁଯାୟୀ ମଣିପୁର ହିଂସାଜନିତ ମୃତ୍ୟୁସଂଖ୍ୟା ଆଜି ଅପରାହ୍ନରେ ୫୪ରେ ପହଞ୍ଚିଛି। ତେବେ ହିଂସାଜନିତ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହେବ ବୋଲି ବେସରକାରୀ ତଥ୍ୟରୁ ଜଣାପଡ଼ିଛି। ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୫୪ ମୃତକଙ୍କ ମଧ୍ୟରୁ ୧୬ ଜଣଙ୍କ ମୃତଦେହ ଚୁରାଚାନ୍ଦପୁର ଜିଲ୍ଲା ହସ୍ପିଟାଲର ଶବାଗାରରେ ରଖାଯାଇଛି। ଅନ୍ୟପକ୍ଷେ ୧୫ ମୃତଦେହକୁ ଇମ୍ଫାଲ ପୂର୍ବ ଜିଲ୍ଲାର ଜବାହରଲାଲ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସ ଶବାଗାରରେ ରଖାଯାଇଛି।

Advertisment

ସେହିପରି ଇମ୍ଫାଲ ପଶ୍ଚିମ ଜିଲ୍ଲାର ଲାମ୍ଫେଲର ଏକ ଆଞ୍ଚଳିକ ମେଡିକାଲ ସାଇନ୍ସ ଇନଷ୍ଟିଚ୍ୟୁଟର ଶବାଗାରରେ ୨୩ ଜଣଙ୍କ ମୃତଦେହ ରଖାଯାଇଛି। ରାଜ୍ୟରେ ହିଂସାଜନିତ ମୃତ୍ୟୁସଂଖ୍ୟା ୫୪ ପହଞ୍ଚିବାପରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଆଜି ଏକ ସର୍ବଦଳୀୟ ବୈଠକ କରିଛନ୍ତି। କଂଗ୍ରେସ, ଏନ୍‌ପିଏଫ, ଏନପିପି, ସିପିଏମ, ଆପ୍‌ ଏବଂ ଶିବସେନା ସମେତ ଅନ୍ୟ ରାଜନୈତିକ ଦଳର ନେତାମାନେ ଏହି ବୈଠକରେ ଯୋଗ ଦେଇଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଶନିବାର କହିଛନ୍ତି, ମଣିପୁର ହିଂସା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାର ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରିଜିଜୁ କହିଛନ୍ତି।

ଇତିମଧ୍ୟରେ ମଣିପୁର ରାଜଧାନୀ ଇମ୍ଫାଲ ସମେତ ଅନ୍ୟ ଅଞ୍ଚଳରେ ଶାନ୍ତି ଫେରିଛି। ଆଜି ସକାଳେ ଇମ୍ଫାଲ ସହରରେ ଅଧିକାଂଶ ଦୋକାନ ବଜାର ଖୋଲିଛି। ଲୋକମାନେ ସ୍ବାଭାବିକ ଭାବେ ନିଜ ଘରୁ ବାହାରି ଅତ୍ୟାବଶ୍ୟକ ଜିନିଷ କିଣିଥିବା ଦେଖିବାକୁ ମିଳିଛି। ଜ‌ଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି , ‌ସେନା ଦ୍ବାରା ହିଂସା ପ୍ରବଣ ଅଞ୍ଚଳରୁ ପ୍ରାୟ ୧୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଅନେକ ଲୋକ ଆହତ ଅବସ୍ଥାରେ ଏବେ ରିମ୍ସ ଏବଂ ଜବାହରଲାଲ ନେହରୁ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ରାଜ୍ୟରେ ଏବେ ସେନା ଏବଂ ଆସାମ ରାଇଫଲ୍ସର ପ୍ରାୟ ୧୦ ହଜାର ଯବାନ ମୁତୟନ ହୋଇଛନ୍ତି। ମଣିପୁରକୁ କେନ୍ଦ୍ର ସରକାର ଅତିରିକ୍ତ ସୁରକ୍ଷାବାହିନୀ ଏବଂ ଦଙ୍ଗା ନିୟନ୍ତ୍ରଣକାରୀ ଗାଡ଼ି ପଠାଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କ ସହ କଥା ହୋଇ ମଣିପୁର ସ୍ଥିତି ସମୀକ୍ଷା କରିଛନ୍ତି। ଶୁକ୍ରବାର ମଣିପୁରରେ ଆଉ ୧୦୦୦ ହଜାର ଅଧିକ ସୁରକ୍ଷାକର୍ମୀ ଏବଂ ଦଙ୍ଗା ନିୟନ୍ତ୍ରଣକାରୀ ଗାଡ଼ି ପହଞ୍ଚିଛି। ଅନ୍ୟପକ୍ଷେ ହିଂସା ପ୍ରବଣ ମଣିପୁରକୁ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି।

ମଣିପୁର ନିଆଁ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ, କୁକି ସଂପ୍ରଦାୟର ଛାତ୍ରଙ୍କ ଉପରେ ଆକ୍ରମଣ

publive-image India.com

ନୂଆଦିଲ୍ଲୀ: ମଣିପୁରରେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଥିବା ବେଳେ ଏହି ହିଂସାର ନିଆଁ ଏବେ ଦିଲ୍ଲୀ ପହଞ୍ଚିଲାଣି। ଦିଲ୍ଲୀ ବିଶ୍ବବିଦ୍ୟାଳୟର ଉତ୍ତର କ୍ୟାମ୍ପସରେ ରହୁଥିବା ମଣିପୁର ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଛି। ମିଳିଥିବା ସୂଚନାନୁଯାୟୀ ଗୁରୁବାର ରାତିରେ ବିଶ୍ବବିଦ୍ୟାଳୟ ପରିସରରେ କୁକି ସଂପ୍ରଦାୟର ଛାତ୍ରମାନଙ୍କୁ ମୈତେଇ ଗୋଷ୍ଠୀର ଛାତ୍ରମାନେ ଆକ୍ରମଣ କରିଥିଲେ। କୁକି ସଂପ୍ରଦାୟର ୬ ଜଣଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଆକ୍ରମଣର ଶିକାର ହୋଇଥିବା ଛାତ୍ରମାନେ ଦାବି କରିଛନ୍ତି ଯେ ଶୁକ୍ରବାର ସକାଳେ ମୌରିସ ନଗର ଥାନାରେ ଏତଲା ରୁଜୁ ପାଇଁ ଯାଇଥ‌ିଲେ। କିନ୍ତୁ ପୁଲିସ ସେମାନଙ୍କ ଏତଲା ନରଖିବାରୁ ସେମାନେ ଥାନା ବାହାରେ ଆନ୍ଦୋଳନରେ ବସିଥିଲେ। ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ବୋଲି ପୁଲିସ କହୁଛି। ଉକ୍ତ ଘଟଣାରେ ମଧ୍ୟ କିଛି ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ତେବେ ମଣିପୁରରେ ହିଂସା ଥମିଥିବା ବେଳେ ହିଂସା ଅନ୍ୟ ସ୍ଥାନକୁ ବ୍ୟାପିବା ଚିନ୍ତାଜନକ ହୋଇଛି। ତେବେ ବିଶ୍ବବିଦ୍ୟାଳୟ ପରିସରରେ ସ୍ଥିତି ସ୍ବାଭାବିକ ଥିବା କୁହାଯାଇଛି।