ପାଟଣା: ବିହାର ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା । ବିଜେପିକୁ ବାଏ ବାଏ କରିଛନ୍ତି ଚର୍ଚ୍ଚିତ ୟୁଟ୍ୟୁବର୍ ମନୀଷ କଶ୍ୟପ । ରବିବାର ଫେସବୁକରେ ଲାଇଭ୍ ଆସିବା ସହିତ ସେ ବିଜେପିରୁ ଇସ୍ତଫା  ଦେଇଥିବା ନେଇ ଘୋଷଣା କରିଛନ୍ତି ।

Advertisment

ଇସ୍ତଫା ସହ ବିଜେପିର ଗୁମର ଫିଟେଇଛନ୍ତି ମନୀଷ । ବିଜେପିରେ ରହିବା ମାନେ ଦୁର୍ନୀତିକୁ ଢାଙ୍କି ରଖିବା । ମୁଁ ଏବେ ବିଜେପିର ସକ୍ରିୟ ସଦସ୍ୟ ନୁହେଁ । ମୁଁ ବିଜେପିରେ ରହି ନିଜକୁ ବଞ୍ଚାଇ ପାରିଲିନି, ତ ଲୋକଙ୍କର କଣ ସାହାଯ୍ୟ କରିବି ?

ବିଜେପିରୁ ଇସ୍ତଫା ଦେବା ପରେ ମନୀଷ କଶ୍ୟପ କହିଛନ୍ତି, ସେ କୌଣସି ନା କୌଣସି ପ୍ଲାଟଫର୍ମରେ ହେଉନା କାହିଁକି ନିଜର କଥାକୁ ରଖିବେ । ଏହାସହ ସେ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବା ନେଇ ମଧ୍ୟ ସଙ୍କେତ ଦେଇଛନ୍ତି । କହିଛନ୍ତି, ମୋତେ କେଉଁ ଜାଗାରୁ ନିର୍ବାଚନ ଲଢ଼ିବା ଉଚିତ ଆପଣ ମୋତେ ବତାନ୍ତୁ । ଏହାସହ କେଉଁ ଦଳରୁ ମଧ୍ୟ ଲଢ଼ିବା ଉଚିତ ତା ମଧ୍ୟ କୁହନ୍ତୁ । ମୁଁ ସବୁବେଳେ ସ୍ୱାସ୍ଥ୍ୟ ବିଭାଗ ବିରୋଧରେ ମୋ ସ୍ୱର ଉଠାଇବି । ମୋର ଲଢ଼େଇ କୌଣସି ବ୍ୟକ୍ତି ବିରୋଧରେ ନୁହେଁ ।

ମନୀଷଙ୍କ କହିବା କଥା ହେଲା, ନିଜ ଅଞ୍ଚଳକୁ ଗଲି, ବହୁତ ସାରା ଅଞ୍ଚଳ ଗସ୍ତ କଲି । ବହୁତ ଲୋକଙ୍କୁ ଭେଟିବା ପରେ ଏହି ନିର୍ଣ୍ଣୟରେ ପହଞ୍ଚିଛି ଯେ, ମୋତେ ବିହାର ପାଇଁ ଲଢ଼ିବାକୁ ହେବ । ଯେତେବେଳେ ପାର୍ଟିରେ ଥିଲି, ସେତେବେଳେ ଏହି ସମ୍ପର୍କରେ ସ୍ୱର ଉଠାଉଥିଲି । ହେଲେ ଏବେ ଲାଗୁଛି ଦଳରେ ରହି ଭଲ ଭାବେ ସ୍ୱର ଉଠାଇପାରୁନି, ତେଣୁ ଦଳରୁ ଇସ୍ତଫା ଦେବାକୁ ନିର୍ଣ୍ଣୟ କଲି ।

ତେବେ ମନୀଷ କଶ୍ୟପ ବିହାରର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱର ଉଠାଇଥିଲେ । ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେଙ୍କ ଉପରେ ଗମ୍ଭୀର ଅଭିଯୋଗ କରିବା ସହ ସେ କହିଥିଲେ, ଯଦି ସ୍ୱାସ୍ଥ୍ୟମନ୍ତ୍ରୀ ଟିକେ ଧ୍ୟାନ ଦେଇଥାନ୍ତେ, ତେବେ ମୁଜଫରପୁରର ଝିଅ ମରିନଥାନ୍ତା । ବିହାରର ସ୍ୱାସ୍ଥ୍ୟବିଭାଗରେ ବଡ଼ ଘୋଟାଲା ହୋଇଛି । ତେଣୁ ଖୁବଶୀଘ୍ର ସେ ଏହାର ଖୁଲାସା କରିବେ ବୋଲି କହିଥିଲେ । ଏହାସହ ସେ ବିଜେପିରୁ ଇସ୍ତଫା ଦେଉଥିବା ନେଇ ମଧ୍ୟ ଘୋଷଣା କରିଛନ୍ତି ।