୭ ଘଣ୍ଟା ପରେ ତିହାର ଜେଲ୍‌କୁ ଫେରିଗଲେ ସିସୋଦିଆ; ଭେଟି ପାରିଲେନି ଅସୁସ୍ଥ ସ୍ତ୍ରୀଙ୍କୁ

ନୂଆଦିଲ୍ଲୀ: ଶନିବାର ଦିନ ଘରେ ଦୀର୍ଘ ୭ ଘଣ୍ଟା ରହି ମଧ୍ୟ ଅସୁସ୍ଥ ସ୍ତ୍ରୀଙ୍କୁ ଦେଖା କରି ନ ପାରି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତିହାର ଜେଲ୍‌କୁ ଫେରିଯାଇଛନ୍ତି।

ସୂଚନାଯୋଗ୍ୟ, ଅସୁସ୍ଥ ସ୍ତ୍ରୀଙ୍କୁ ଦେଖିବା ଲାଗି ସିସୋଦିଆଙ୍କୁ ଶନିବାର ଦିନ ୭ ଘଣ୍ଟା ପାଇଁ ଅନ୍ତରୀଣ ଜାମିନ ମିଳିଥିଲା। କିନ୍ତୁ, ସେ ଘରେ ପହଞ୍ଚିବା ପୂର୍ବରୁ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ (ସ୍ତ୍ରୀ) ତୁରନ୍ତ ଦିଲ୍ଲୀସ୍ଥିତ ‘ଏଲ୍‌ଏନ୍‌ଜେପି’ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଅସୁସ୍ଥ ସ୍ତ୍ରୀଙ୍କୁ ଭେଟିବା ଲାଗି ଶୁକ୍ରବାର ଦିନ ଦିନ ଦିଲ୍ଲୀ ହାଇକୋର୍ଟ ମନୀଷ ସିସୋଦିଆଙ୍କୁ ଶନିବାର ପୂର୍ବାହ୍ନ ୧୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାମିନ ମଞ୍ଜୁର କରିଥିଲେ। କିନ୍ତୁ, ସିସୋଦିଆ ମଥୁରା ରୋଡ୍‌ସ୍ଥିତ ବାସଭବନରେ ପହଞ୍ଚିବା ଆଗରୁ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କ ସ୍ତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସିସୋଦିଆଙ୍କ ସ୍ତ୍ରୀ ‘ମଲ୍‌ଟିପ୍ଲ୍‌ ସ୍କେରୋସିସ୍’ ରୋଗରେ ପୀଡ଼ିତା। ଏଥିଯୋଗୁଁ ତାଙ୍କର ମସ୍ତିଷ୍କ ଓ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ଅକାମିକା ହୋଇ ଯାଉଛି।

Image Courtesy of India Today

ସଂଗୃହୀତ ସୂଚନା ଅନୁସାରେ, ଶନିବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ‘ଆପ୍‌’ ନେତା ସିସୋଦିଆଙ୍କୁ ତାଙ୍କ ବାସଭବନରେ ଗୃହବନ୍ଦୀ ଭଳି ରଖାଯାଇଥିଲା। ୫ଟା ପରେ ତାଙ୍କୁ ପୁନର୍ବାର ତିହାର ଜେଲ୍‌କୁ ଫେରାଇ ନିଆଯାଇଥିଲା।

ସ୍ତ୍ରୀଙ୍କ ଅସୁସ୍ଥତା ଦର୍ଶାଇ ମନୀଷ ସିସୋଦିଆ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ, ଦିଲ୍ଲୀ ହାଇକୋର୍ଟ ଏହି ଆବେଦନ ଉପରେ ରାୟ ସଂରକ୍ଷିତ ରଖିବା ସହିତ ସିସୋଦିଆଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ‘ଏଲ୍‌ଏନ୍‌ଜିପି’ ହସ୍ପିଟାଲ୍‌କୁ ପଚାରିଥିଲେ।

ସ୍ତ୍ରୀଙ୍କୁ ଭେଟିବା ପାଇଁ ଅନୁମତି ଦେବା ସମୟରେ ହାଇକୋର୍ଟ ସ୍ପଷ୍ଟ କରି କହି‌ଥିଲେ ଯେ, ଏହି ଜାମିନ ସମୟରେ ସିସୋଦିଆ ତାଙ୍କ ବାସଭବନରେ ଗୃହବନ୍ଦୀ ଭାବେ ରହିବେ। ସେ ଗଣମାଧ୍ୟମକୁ କିଛି କହିବେ ନାହିଁ କିଂବା ପରିବାରର ଅନ୍ୟାନ୍ୟ ସଦସ୍ୟମାନଙ୍କୁ ଭେଟି ପାରିବେ ନାହିଁ। ସେହିପରି, ସେ ଫୋନ୍‌ କିଂବା ଇଣ୍ଟର୍‌ନେଟ୍‌ ବ୍ୟବହାର କରିପାରିବେ ନାହିଁ।

ସମ୍ବନ୍ଧିତ ଖବର