ଦିଲ୍ଲୀ ଅବକାରୀ ଦୁର୍ନୀତି : କେଜ୍ରିଓ୍ବାଲଙ୍କ ଘନିଷ୍ଠ ସହଯୋଗୀ ବିଜୟ ନାୟାର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ଦିନ ଆମ୍ ଆଦମୀ ପାର୍ଟି (ଆପ୍) ସଦସ୍ୟ ତଥା ବ୍ୟବସାୟୀ ବିଜୟ ନାୟାରଙ୍କୁ ଗିରଫ କରିଛି । ନାୟାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବୋଲି ଜଣାଯାଇଛି ।

ନାୟାର ଆପର ପ୍ରଚାର ଦାୟିତ୍ବରେ ଥିଲେ । ପୂର୍ବରୁ ପଞ୍ଜାବ ଏବଂ ଗୁଜୁରାଟରେ ପ୍ରଚାର ରଣନୀତିର ବିକାଶ ତଥା କାର୍ଯ୍ୟକାରୀ କରିବା ପାଇଁ ସେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।

ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନିର ସିଇଓ ଥିବା ନାୟାରଙ୍କ ମଦ ବ୍ୟବସାୟ ଉପରେ ପୂର୍ବରୁ କୌଣସି ଅଭିଜ୍ଞତା ନଥିଲେ ବି ସେ ଅବକାରୀ ନୀତି ପ୍ରସ୍ତୁତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଗତ ଅଗଷ୍ଟ ମାସରେ ସିବିଆଇ ଏହି ଦୁର୍ନୀତି ମାମଲାରେ ୧୫ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା । ସେମାନଙ୍କ ମଧ୍ୟରେ ଉଭୟ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋସିଆ ଓ ବିଜୟ ନାୟାର ଥିଲେ ।

ସିବିଆଇର ଅଭିଯୋଗ ଅନୁସାରେ ଏହି ଅବକାରୀ ନୀତିକୁ ଏପରି ଭାବେ ପ୍ରସ୍ତୁତ କରାଯାଇଥିଲା ଯେ ମଦ ଲାଇସେନ୍ସ ପ୍ରଦାନ ପାଇଁ ଉପରାଜ୍ୟପାଳଙ୍କ ଅନୁମୋଦନ ଆବଶ୍ୟକ ପଡ଼ିବ ନାହିଁ  ।  ଏହି ନୀତି ଗତବର୍ଷ ନଭେମ୍ବର ମାସରେ ଆଗତ ହୋଇଥିଲା ଓ ଉପ-ରାଜ୍ୟପାଳ ଭି.ଆର.ସାକ୍ସେନାଙ୍କ ଦ୍ବାରା ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ଗତ ଜୁଲାଇ ମାସରେ ଏହାକୁ ଦିଲ୍ଲୀ ସରକାର ପ୍ରତ୍ୟାହାର କରିନେଇଥିଲେ । ଗତ ଅଗଷ୍ଟ ମାସରେ ସିବିଆଇ ସିସୋଦିଆଙ୍କ ବାସଭବନ ଓ ଅଫିସରେ ଚଢଉ କରିଥିଲା ।

 

ସମ୍ବନ୍ଧିତ ଖବର