ଚେନ୍ନାଇ : ତାମିଲନାଡ଼ୁର ଜଣେ ଅଧ୍ୟାପିକା ମନୀଷା କ୍ରୀଷ୍ଣାସାମୀ। ବୟସ ମାତ୍ର ୨୪। କିନ୍ତୁ ଏତେ କମ୍ ବର୍ଷ ବୟସରେ ବି ସେ ଅନେକ ଅସହାୟଙ୍କର ଆଶ୍ରା ପାଲଟିଛନ୍ତି। ପ୍ରାୟ ୩୪୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସେ ଆଶ୍ରୟ ଯୋଗାଇ ଦେଇଛନ୍ତି ଏବଂ ସେମାନଙ୍କର ସମସ୍ତ ଦାୟିତ୍ବ ନିଜେ ବହନ କରୁଛନ୍ତି। ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଛନ୍ତି ମନୀଷା। ବାପା ଜଣେ ମାଂସ କଟାଳୀ ଏବଂ ମା’ ଗୃହିଣୀ। ମନୀଷାଙ୍କର ଇଚ୍ଛା ଥିଲା ଡାକ୍ତର ହେବେ ନହେଲେ ସେନାରେ ଯୋଗ ଦେବେ। କିନ୍ତୁ ଆର୍ଥିକ ସଙ୍କଟ ପାଇଁ ତାଙ୍କର ଏହି ସ୍ବପ୍ନ ସାକାର ହୋଇପାରିଲାନି। ଶେଷରେ ମନୀଷା ନର୍ସିଂରେ ବିଏସ୍ସି କଲେ। ପଢ଼ା ଶେଷ ହେବାପରେ ସେ ନନ୍ଦ କଲେଜ୍ ଅଫ୍ ନର୍ସିଂରେ ଅଧ୍ୟାପିକା ଭାବେ କାମ ଆରମ୍ଭ କଲେ। ଅସହାୟଙ୍କୁ ସହଯୋଗ କରିବାପାଇଁ ସେ ଟଙ୍କା ସଞ୍ଚୟ କଲେ। ପ୍ରଥମେ ସେ ତାଙ୍କ ଘର ନିକଟରେ କିଛି ଅସହାୟଙ୍କୁ କେବଳ ଗୋଟିଏ ଓଳି ଖାଇବାକୁ ଦେଉଥିଲେ। କିନ୍ତୁ ଏଥିରେ ସେ ସନ୍ତୁଷ୍ଟ ହେଲେନି। ଇଚ୍ଛା ହେଲା କିଛି ବଡ଼ କାମ କରିବା ପାଇଁ। ଘର ନଥିବା ଲୋକଙ୍କୁ ସେ ଆଶ୍ରୟ ଦେବା ସହ ସେମାନଙ୍କୁ ୩ ଓଳି ଖାଇବାକୁ ଦେବାପାଇଁ ଚାହିଲେ।
ଦିନେ ଜଣେ ୮୦ ବର୍ଷୀୟ ବୃଦ୍ଧ ଅତ୍ୟନ୍ତ ଅସହାୟ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ସଂକ୍ରାନ୍ତରେ ଫେସବୁକ୍ ପୋଷ୍ଟ୍ରେ ଦେଖିଥିଲେ। ସେ ଏହି ବ୍ୟକ୍ତିଙ୍କୁ ଖୋଜିଲେ। ବୃଦ୍ଧଙ୍କୁ ଖୋଜି ଖୋଜି ସେ ତ୍ରିଚିରୁ ତଂଜବୁର୍ରେ ପହଞ୍ଚିଲେ। ସମ୍ପୃକ୍ତ ବୃଦ୍ଧଙ୍କୁ ସେ ଉଦ୍ଧାର କରି ଏକ ଜରାଶ୍ରମ ପଠାଇଲେ। ତେବେ ଏହି ଘଟଣା ପରେ ମନୀଷା ୨୦୧୮ରେ ଜୀବିତମ ଫାଉଣ୍ଡେସନ୍ ନାମକ ଏକ ସଂଗଠନ ଆରମ୍ଭ କଲେ। ଜୀବିତମର ପ୍ରମୁଖ ଲକ୍ଷ୍ୟ ହେଉଛି ନିରାଶ୍ରୟଙ୍କୁ ଆଶ୍ରୟ ଦେବା। ବୟସ୍କ,ମାନସିକ ବିକାରଗ୍ରସ୍ତ ଏବଂ ନିଶାଶକ୍ତ ଲୋକଙ୍କୁ ଏହି ଫାଉଣ୍ଡେସନ୍ରେ ଜାଗା ମିଳୁଛି। ମନୀଷା ନିଜେ ନିଜ ରୋଜଗାର ଦ୍ବାରା ଏହି ଫାଉଣ୍ଡେସନ୍ ଚଳାଉଛନ୍ତି ଏବଂ ତାଙ୍କୁ ଏଥିପାଇଁ ସହଯୋଗ ବି ମିଳୁଛି।