ମୋଦି ଜଣେ ‘ଛୋଟଲୋକ’ ବୋଲି କହିଲେ ଆୟାର, ଜବାବରେ ମୋଦି କହିଲେ ହଁ ! ମୁଁ ଗରିବ

ନୂଆଦିଲ୍ଲୀ : କେତେକ କଂଗ୍ରେସ ନେତା ଅଛନ୍ତି ଯେଉଁମାନେ ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ନିଜ ଦଳକୁ ଲାଭ ପହଞ୍ଚାଇବା ବଦଳରେ ଅଡ଼ୁଆରେ ପକାନ୍ତି । ଏପରି ଜଣେ ନେତା ହେଲେ ମଣିଶଙ୍କର ଆୟାର । ପୂର୍ବରୁ ୨୦୧୪ରେ ମୋଦିଙ୍କୁ ‘ଚା’ବାଲା କହିଥିବା ମଣିଶଙ୍କର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏଥର ସେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଜଣେ ‘ଛୋଟଲୋକ’ ବା ନୀଚ୍ଚ ଲୋକ ବୋଲି କହିଛନ୍ତି । ତେବେ ତାଙ୍କର ଏହି ଟିପ୍ପଣୀର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

“ମୁଁ ଭାବୁଛି ଏ ଲୋକ ଜଣେ ଅତି ଛୋଟ ଲୋକ, ଯାହାର କୌଣସି ସଭ୍ୟତା ନାହିଁ । ଏହି ପରିସ୍ଥିତିରେ ଏପରି ଛୋଟ ରାଜନୀତି କରିବାର କ’ଣ ଆବଶ୍ୟକତା ଅଛି?” ମୋଦିଙ୍କୁ ଅାକ୍ଷେପ କରି ଆୟାର ଏପରି କହିଛନ୍ତି । ସକାଳେ ମୋଦି ରାହୁଲଙ୍କୁ ଟାର୍ଗେଟ୍‌ କରିଥିବାରୁ ତାହାର ଜବାବରେ ସେ ଏହା କହିଛନ୍ତି ।

ତେବେ ଏହାର ଜବାବରେ ମୋଦି ଟ୍ଵିଟ୍ଟ କରି କହିଛନ୍ତି ଯେ “ସେମାନେ ଆମକୁ ନୀଚ୍ଚ ଲୋକ, ଛୋଟ ଲୋକ ବୋଲି କହିପାରନ୍ତି, କିନ୍ତୁ ଆମର ମୂଲ୍ୟବୋଧ ବେଶ ସୁଦୃଢ । ଆମର ସେମାନଙ୍କୁ କିଛି କହିବାର ନାହିଁ, ଆମର ଜବାବ ଭୋଟ ବାକ୍ସ ଦେବ । ମୁଁ ମୁଖ୍ୟମନ୍ତ୍ରୀ ଥିବାବେଳେ ମଧ୍ୟ ସେମାନେ ମୋତେ ମୃତ୍ୟୁର ସୌଦାଗର ବୋଲି କହିଥିଲେ ଓ ଜେଲରେ ଭର୍ତ୍ତି କରିବାକୁ ଚାହିଁଥିଲେ ।”

ଆଉ ଏକ ଟ୍ଵିଟରେ ମୋଦି କହିଛନ୍ତି ଯେ “ହଁ ମୁଁ ସମାଜର ଏକ ଗରିବ ବର୍ଗରୁ ଆସିଛି ଓ ମୋ ସାରା ଜୀବନକୁ ଗରିବ, ଦଳିତ, ଆଦିବାସୀ ଓ ଓବିସି ବର୍ଗର ଲୋକଙ୍କ ବିକାଶ ପାଇଁ କାମ କରିବି ।”

ଆଜି ପୂର୍ବାହ୍ନରେ ମୋଦି ଆମ୍ବେଦକର ଇଣ୍ଟରନାସଲନାଲ ସେଣ୍ଟର ଉଦଘାଟନ ବେଳେ ରାହୁଲଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ୍‌ କରି କହିଥିଲେ ଯେ ଆଜିକାଲି କେତେକ ଦଳ ବାବା ସାହେବଙ୍କ ବଦଳରେ ବାବା ଭୋଳାଙ୍କ କଥା କହୁଛନ୍ତି ।

ସମ୍ବନ୍ଧିତ ଖବର