ମଣିଶଙ୍କରଙ୍କ ଅମାନିଆ ତୁଣ୍ଡ… ପାକିସ୍ତାନ ଶାନ୍ତି ଚାହୁଁଛି, ଭାରତ ଯୁଦ୍ଧଖୋର୍

ଦଳରୁ ବିଦା କରିବାକୁ ବରିଷ୍ଠ କଂଗ୍ରେସ ନେତାଙ୍କ ଦାବି

ନୂଆଦିଲ୍ଲୀ : ବୋଧହୁଏ ମଣିଶଙ୍କର ଆୟାରଙ୍କ ମୁଣ୍ଡ କାମ କରୁନି ଅଥବା ସେ ଜାଣିଶୁଣି ବିବାଦୀୟ କଥା କହି ଖବରରେ ରହିବାକୁ ଚାହୁଁଛନ୍ତି । ତାଙ୍କର ବଚନକୁ ଏବେ ରାହୁଲ ଗାନ୍ଧିମଧ୍ୟ ଡରିଲେଣି, କାରଣ ତାଙ୍କ ଯୋଗୁଁ କଂଗ୍ରେସ ଦଳକୁ ମଧ୍ୟ ଅନେକ ଅପବାଦ ସହିବାକୁ ପଡୁଛି । ଗତ ଡିସେମ୍ବର ମାସରେ ଗୁଜୁରାଟ ନିର୍ବାଚନ ପୂର୍ବରୁ ମୋଦିଙ୍କୁ ଛୋଟ ଲୋକ କହିବାରୁ ଅନେକ ବିବାଦ ସୃଷ୍ଟି ହୋଇଥିଲା । ଏବେ ପୁଣି ମୁହଁ ଖୋଲିଛନ୍ତି ମଣିଶଙ୍କର । ତାହା ପୁଣି ପାକିସ୍ତାନରେ ।

ପାକିସ୍ତାନର କରାଚୀରେ ଅନୁଷ୍ଠିତ ଏକ ସାହିତ୍ୟ ସମାରୋହରେ ଯୋଗ ଦେଇ ମଣିଶଙ୍କର କହିଛନ୍ତି, “କାଶ୍ମୀର ସମସ୍ୟାର ଏକମାତ୍ର ସମାଧାନ ହେଉଛି କଥାବାର୍ତ୍ତା । ପାକିସ୍ତାନ ସବୁବେଳେ କଥାବାର୍ତ୍ତାର ଦ୍ୱାର ଖୋଲା ରଖିଛି, କିନ୍ତୁ ଭାରତର ଏହି ନୀତି ନାହିଁ । ଏଣୁ ପାକିସ୍ତାନ ପାଇଁ ଗର୍ବ ଲାଗୁଛି ଓ ଭାରତ ସରକାରଙ୍କ ପାଇଁ ଦୁଃଖ ଲାଗୁଛି ।” ତାଙ୍କର ଏହି କଥା ଶୁଣି ଉପସ୍ଥିତ ଜନତା କରତାଳି ଦେଇଥିଲେ । ଏକ ଭାରତର ଜଣେ ନେତା ନିଜ ଦେଶକୁ ନିନ୍ଦା କରୁଥିବାବେଳେ ଉପସ୍ଥିତ ପାକିସ୍ତାନି ଜନତାଙ୍କୁ ମଜା ଲାଗିବା ଏକ ସ୍ୱାଭାବିକ କଥା ।

ସେ ଆହୁରି ମଧ୍ୟ କହିଥିଲେ ଯେ ପାକିସ୍ତାନୀ ଲୋକମାନେ ଭାରତ ସହ ଶାନ୍ତି ଚାହୁଁଛନ୍ତି, ଭାରତୀୟ ମାନେ ହିଁ ୧୯୪୭ର ବିଭାଜନ ମାନସିକତାରୁ ମୁକୁଳି ପାରିନାହାନ୍ତି । ଅର୍ଥାତ୍‌ ପାକିସ୍ତାନି ଲୋକମାନେ ଶାନ୍ତିପ୍ରିୟ ମାତ୍ର ଭାରତ ହିଁ ବିବାଦ ଚାହୁଁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫଙ୍କ ଦ୍ୱାରା ସ୍ଥାପିତ ଫ୍ରେମଓ୍ଵାର୍କ ଅନୁସାରେ ଉଭୟ ଦେଶ ବିବାଦର ସମାଧାନ କରିବା ଆବଶ୍ୟକ ।

ବାରମ୍ବାର ମଣିଶଙ୍କରଙ୍କ ଏପରି ଲଗାମ ଛଡ଼ା ମନ୍ତବ୍ୟ ଫଳରେ ତାଙ୍କୁ କଂଗ୍ରେସରୁ ବାହାର କରିବାକୁ ଖୋଦ କଂଗ୍ରେସ ଦଳରେ ଦାବି ଉଠିଲାଣି । ପୁରୁଖା କଂଗ୍ରେସ ନେତା ହନୁମନ୍ଥା ରାଓ କହିଛନ୍ତି ଯେ ଆୟାରଙ୍କୁ ବାହାର କରିବାକୁ ସେ ସଭାପତି ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିବେ ।

ସମ୍ବନ୍ଧିତ ଖବର