ନୂଆଦିଲ୍ଲୀ: କଂଗ୍ରେସ ନେତା ମଣିଶଙ୍କର ଆୟାର ୧୯୬୨ ମସିହା ଭାରତ-ଚୀନ୍ ଯୁଦ୍ଧ ଉପରେ ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଛନ୍ତି। ତାଙ୍କର ଏହି ବିବାଦୀୟ ମନ୍ତବ୍ୟରୁ କଂଗ୍ରେସ ନିଜକୁ ଦୂରେଇ ରଖିଛି। ଆୟାର ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଗତକାଲି କହିଥିଲେ, ‘..ଅଭିଯୋଗ ଅନୁସାରେ ଅକ୍ଟୋବର ୧୯୬୨ରେ ଚୀନ୍ ଭାରତ ଉପରେ ଆକ୍ରମଣ କରିଥିଲା।’ ସେ ‘ଚୀନ୍ ଆକ୍ରମଣ’ ପୂର୍ବରୁ ‘ଅଭିଯୋଗ ଅନୁସାରେ’ ଶବ୍ଦଟି ବ୍ୟବହାର କରିଥିବାରୁ ପରେ କ୍ଷମା ପ୍ରାର୍ଥନା କରିଥିଲେ। ଆୟାରଙ୍କ ମନ୍ତବ୍ୟ ପରେ କଂଗ୍ରେସକୁ କଡ଼ା ସମାଲୋଚନା କରି ବିଜେପି ଏହାକୁ ଦେଶ ବିରୋଧୀ ବୟାନ ବୋଲି କହିଛି।

Advertisment

‘ନେହରୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍‌ସି)ରେ ଚୀନ୍ ସପକ୍ଷରେ ସ୍ଥାୟୀ ଆସନ ପାଇଁ ଭାରତର ଦାବିକୁ ତ୍ୟାଗ କରିଥିଲେ, ରାହୁଲ ଗାନ୍ଧୀ ଚୀନ୍‌ ସହ ଏକ ଗୁପ୍ତ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ, ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ ଚୀନ୍ ଦୂତାବାସରୁ ପାଣ୍ଠି ଗ୍ରହଣ କରିଥିଲେ ଏବଂ ଚୀନ୍ କମ୍ପାନିଗୁଡ଼ିକ ସପକ୍ଷରେ ରିପୋର୍ଟ ପ୍ରକାଶ କରି ଭାରତରେ ସେମାନଙ୍କ ବଜାର ପ୍ରବେଶର ମାର୍ଗ ପ୍ରଶସ୍ତ କରିଥିଲେ। ସେହି ରିପୋର୍ଟ ଆଧାରରେ ସୋନିଆ ଗାନ୍ଧୀଙ୍କ ଉପା ସରକାର ଚୀନ୍ ସାମଗ୍ରୀ ପାଇଁ ଭାରତୀୟ ବଜାରକୁ ଖୋଲିଦେଇଥିଲା, ଯାହା ଭାରତର କ୍ଷୁଦ୍ର ଓ ଅଣୁ ଶିଳ୍ପ (ଏମ୍ଏସ୍ଏମ୍ଇ)ଗୁଡ଼ିକୁ କ୍ଷତି ପହଞ୍ଚାଇଥିଲା ଏବଂ ବର୍ତ୍ତମାନ କଂଗ୍ରେସ ନେତା ଆୟାର ଚୀନ୍ ଆକ୍ରମଣକୁ ଘୋଡ଼େଇବାକୁ ଚାହୁଛନ୍ତି। ଏହି ଆକ୍ରମଣ ପରେ ହିଁ ଚୀନ୍ ୩୮,୦୦୦ ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳକୁ ବେଆଇନ ଭାବେ ଦଖଲ କରିଥିଲା’ ବୋଲି ବିଜେପିର ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି।

ଆୟରଙ୍କ ମନ୍ତବ୍ୟକୁ ନେଇ ଜୋରଦାର ବିବାଦ ସୃଷ୍ଟି ହେବା ପରେ ବରିଷ୍ଠ ନେତାଙ୍କ ବୟାନରୁ କଂଗ୍ରେସ ନିଜକୁ ଦୂରେଇ ରଖିଛି। ସୂଚନାଯୋଗ୍ୟ, ମଣିଶଙ୍କର ଆୟାର ବିବାଦ ସୃଷ୍ଟି କରିବାରେ ନୂଆ ନୁହନ୍ତି। ଚଳିତ ମାସ ପ୍ରାରମ୍ଭରେ ତାଙ୍କର ପୁରୁଣା ସାକ୍ଷାତ୍‌କାରର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ କହିଥିଲେ ଯେ ଭାରତ ପାକିସ୍ତାନ ସହ କଥାବାର୍ତ୍ତା କରିବା ଉଚିତ, ନଚେତ୍ ଦେଶକୁ ବହୁ ମୂଲ୍ୟ ଦେବାକୁ ପଡିପାରେ। ପାକିସ୍ତାନ ପାଖରେ ପରମାଣୁ ବୋମା ଥିବାରୁ ଭାରତ ତାକୁ ସମ୍ମାନ ଦେବା ଉଚିତ। ନ ହେଲେ ସେମାନେ ଭାରତ ଉପରେ ପରମାଣୁ ବୋମା ପକାଇଦେବେ ବୋଲି ଆୟାର କହିଥିଲେ।