ମଣିଶଙ୍କରଙ୍କ ପୁଣି ବିବାଦୀୟ ବୟାନ: ପାକିସ୍ତାନରୁ ଯେତିକି ଶ୍ରଦ୍ଧା, ଭାରତରୁ ତାହାଠୁ ଅଧିକ ଘୃଣା ମିଳୁଛି

କରାଚି: କଂଗ୍ରେସରୁ ନିଲମ୍ବିତ ହୋଇଥିବା ବରିଷ୍ଠ ନେତା ମଣିଶଙ୍କର ଆୟର ଭାରତର ପାରମ୍ପରିକ ଶତ୍ରୁ ପାକିସ୍ତାନ ସପକ୍ଷରେ ପୁଣି ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଛି । ପାକିସ୍ତାନରେ ତାଙ୍କୁ ଯେତିକି ସ୍ନେହଶ୍ରଦ୍ଧା ମିଳୁଛି ତା’ଠାରୁ ଅଧିକ ଘୃଣାଭାବ ତାଙ୍କୁ ଭାରତବାସୀ ଦେଉଛନ୍ତି ବୋଲି ଆୟାର କହିଛନ୍ତି। ଏକ ସାହିତ୍ୟିକ ମହୋତ୍ସବରେ ଯୋଗଦେବା ଲାଗି କରାଚି ସହରକୁ ଆସିଥିବା ଆୟାର ଉଭୟ ଦେଶ ମଧ୍ୟରେ ନିରନ୍ତର କଥାବର୍ତ୍ତା ଜାରି ରହିବା ଉଚିତ ବୋଲି ମଧ୍ୟ ପରାମର୍ଶ ଦେଇଛନ୍ତି। ସେ ଶାନ୍ତିର କଥା କହୁଥିବାରୁ ପାକିସ୍ତାନବାସୀ ତାଙ୍କୁ ଏପରି ଶ୍ରଦ୍ଧା କରୁଥିବା ସେ କହିଛନ୍ତି।

ତେବେ ଦୁଇ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେହେଉଥିବା ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ ଥିବା ବେଳେ ଭାରତ ଏଥିରେ ସହମତ ହେଉନାହିଁ ବୋଲି ଆୟର ଦେଇଥିବା ବିବୃତି ଅନ୍ୟମାନଙ୍କୁ ଆଚମ୍ବିତ କରିଛି। ସେହିପରି ପାକିସ୍ତାନର ପୂର୍ବ ସାମରିକ ଶାସକ ଜେନେରାଲ ପରଭେଜ ମୁସାରଫ୍‌ଙ୍କୁ ଆୟର ପ୍ରଶଂସା କରିବା ସହ କଶ୍ମୀର ସଙ୍କଟର ସମାଧାନ ପାଇଁ ମୁସାରଫ୍‌ ତାଙ୍କ ଶାସନ କାଳରେ ଗ୍ରହଣ କରିଥିବା ଯୋଜନା ଅନୁଯାୟୀ କାମ କଲେ ସଫଳତା ମିଳିବ ବୋଲି ସେ କହିଛନ୍ତି। ପୂର୍ବରୁ ଅନେକ ଥର ଆୟର ଏପରି ପାକିସ୍ତାନ ସପକ୍ଷରେ ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଥିବା ନଜିର ରହିଛି ।

ସମ୍ବନ୍ଧିତ ଖବର