ରାହୁଲଙ୍କ ‘ଖଟାଖଟ୍‌’ ଟିପ୍ପଣୀର ଜବାବ ଦେଲେ ମେନକା: ଏହାକୁ ହିଁ ‘ଶେଖଚିଲ୍ଲୀ’ କୁହାଯାଏ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶର ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ମହିଳାମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ମିଳିବ। ତେବେ ରାହୁଲଙ୍କ ଏହି ଟିପ୍ପଣୀକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଉତ୍ତରପ୍ରଦେଶର ସୁଲତାନପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ‌ମେନକା ଗାନ୍ଧୀ ‘ଶେଖଚିଲ୍ଲୀ’ ବୋଲି କହିଛନ୍ତି। ‘ଶେଖଚିଲ୍ଲୀ’ର ଅର୍ଥ ହେଉଛି ଯାହା ଅବାସ୍ତବ। ବରିଷ୍ଠ ବିଜେପି ନେତ୍ରୀ ମେନକା ଜଣେ ସାମ୍ବାଦିକଙ୍କ ସହ କଥା ହେବାବେଳେ ଏହି ଟିପ୍ପଣୀ ଦେଇଛନ୍ତି। ରାହୁଲ ଗାନ୍ଧୀ ଏକ ନିର୍ବାଚନ ରାଲିରେ କହିଥିଲେ ଇଣ୍ଡି ମେଣ୍ଟ କ୍ଷମତାକୁ ଆସିଲେ ବ୍ୟାଙ୍କ ଆକାଉଣ୍ଟ୍‌କୁ ଖଟାଖଟ୍‌-ଖଟାଖଟ୍‌ ୧ ଲକ୍ଷ ଟଙ୍କା ଆସିବ। ଏହାର ଜବାବ ଦେଇ ମେନକା ଗାନ୍ଧୀ କହିଛନ୍ତି, ରାହୁଲ ଟଙ୍କା କେଉଁଠୁ ଆଣିବେ। ଏହାର ଉତ୍ତରରେ ସାମ୍ବାଦିକ କହିଥିଲେ ଯେ ରାହୁଲ ଅମ୍ବାନୀ ଏବଂ ଆଦାନୀଙ୍କ ପରି ବଡ଼ ବଡ଼ ଶିଳ୍ପପତିଙ୍କଠାରୁ ଟଙ୍କା ଆଣି ଏହାକୁ ବାଣ୍ଟିବେ। ଏହାର ଉତ୍ତରରେ ମେନକା କହିଥିଲେ ‘ଏହାକୁ ହିଁ ଶେଖଚିଲ୍ଲୀ କୁହାଯାଏ। ଆମେ ଏଭଳି ଶେଖଚିଲ୍ଲୀରେ ଜଡ଼ିତ ନୋହୁଁ। ମେନକା ମଧ୍ୟ ଆଉ ଗୋଟିଏ କଥା ସ୍ପଷ୍ଟ କରି କହିଛନ୍ତି ଯେ ତାଙ୍କ ପୁଅ ବରୁଣ ଗାନ୍ଧୀ ଆସନ୍ତାକାଲି ସୁଲତାନପୁରରେ ତାଙ୍କ ପାଇଁ ପ୍ରଚାର କରିବେ। ଉଲ୍ଲେଖଯୋଗ୍ୟ, ଲୋକସଭା ନିର୍ବାଚନରେ ଲଢ଼ିବାପାଇଁ ବରୁଣଙ୍କୁ ଟିକେଟ ନ ମିଳିବାରୁ ଏବେ ସେ ପ୍ରଚାରରୁ ଯଥାସମ୍ଭବ ଦୂରେଇ ରହୁଛନ୍ତି।

ସମ୍ବନ୍ଧିତ ଖବର