ଚୀନ୍‌ ଛୁଇଁଲା ସାମୁଦ୍ରିକ ଝଡ଼ ମ୍ୟାଙ୍ଖୁଟ୍‌

ମାନିଲା: ଉତ୍ତର ଫିଲିପାଇନ୍ସରେ ପ୍ରଚଣ୍ଡ ସାମୁଦ୍ରିକ ଝଡ଼ ‘ମ୍ୟାଙ୍ଖୁଟ୍‌’ ତାଣ୍ଡବଲୀଳା ରଚାଇବା ପରେ ଏବେ ଦକ୍ଷିଣ ଚୀନ୍‌କୁ ମାଡ଼ କରିଛି। ଏହାର ପ୍ରଭାବରେ ଝଡ଼ତୋଫାନ ଓ ବର୍ଷା ଆରମ୍ଭ ହୋଇଯାଇଛି। ତେବେ ଏଥିରୁ ବର୍ତ୍ତିବା ପାଇଁ ଚୀନ୍‌ ୨୪.୫ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିଛି। ୪୦୦ରୁ ଅଧିକ ବିମାନ ଚଳାଚଳ ବାତିଲ କରିଦେଇଛି। ରବିବାର ଅପରାହ୍ନରେ ‘ମ୍ୟାଙ୍ଖୁଟ୍‌’ ଚୀନ୍‌ର ଗୁଆଙ୍ଗ୍‌ଡୋଙ୍ଗ୍‌ ପ୍ରଦେଶରେ ଭୂମିଷ୍ଠ ହୋଇଛି। ହଂକଂରେ ମଧ୍ୟ ଏହାର ପ୍ରକୋପ ଅନୁଭୂତ ହୋଇଛି।

୨୪.୫ ଲକ୍ଷ ସ୍ଥାନାନ୍ତରିତ ୪୦୦ ବିମାନ ଚଳାଚଳ ବାତିଲ
୩,୭୭୭ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲିଲା

ଉଲ୍ଲେଖଯୋଗ୍ୟ, ଫିଲିପାଇନ୍ସରେ ମ୍ୟାଙ୍ଖୁଟ୍‌ ଯୋଗୁ ପ୍ରବଳ ବର୍ଷା ଓ ଝଡ଼ତୋଫାନ ହେବା ସହିତ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି। ଅନେକ ଘରଦ୍ୱାର ମଧ୍ୟ ଭୁଶୁଡ଼ି ପଡ଼ିଛି। ଏବେ ବି ସେଠାରେ ପ୍ରବଳ ବର୍ଷା ଲାଗିରହିଛି। ତେବେ ମ୍ୟାଙ୍ଖୁଟ୍‌ ଯୋଗୁ ବର୍ତ୍ତମାନ ସୁଦ୍ଧା ଫିଲିପାଇନ୍ସରେ ୬୨ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ବିଶ୍ୱରେ ଚଳିତବର୍ଷ ମ୍ୟାଙ୍ଖୁଟ୍‌କୁ ସବୁଠୁ ଶକ୍ତିଶାଳୀ ଝଡ଼ତୋଫାନ ବୋଲି ବିବେଚନା କରାଯାଉଛି। ଏହି ତୋଫାନ ଯୋଗୁ ସମୁଦାୟ ୫୦ ଲକ୍ଷ ଲୋକ ପ୍ରଭାବିତ ହେବା ଆଶଙ୍କା ରହିଛି। ମ୍ୟାଙ୍ଖୁଟ୍‌ ଏବେ ହଂକଂ ଓ ଦକ୍ଷିଣ ଚୀନ୍‌ର କିଛି ଅଞ୍ଚଳରେ ଭୂମିଷ୍ଠ ହୋଇଥିବାରୁ ଏହି ଦେଶଦ୍ୱୟରେ ସତର୍କ ସୂଚନା ଜାରି କରାଯାଇଛି। ତଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଚୀନ୍‌ର ଗୁଆଙ୍ଗଡୋଙ୍ଗ ପ୍ରଶାସନ ପକ୍ଷରୁ ରବିବାର କୁହାଯାଇଛି ଯେ ୭ଟି ସହରରେ ବିପଦ ରହିଥିବାରୁ ପାଖାପାଖି ୨୪.୫ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ହଂକଂ ପାଣିପାଗ ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ ଯଦିଓ ମ୍ୟାଙ୍ଖୁଟ୍‌ ଏବେ ଦୁର୍ବଳ ହେବାରେ ଲାଗିଛି, ତଥାପି ଏହାର ପ୍ରଭାବରୁ ବ୍ୟାପକ କ୍ଷୟକ୍ଷତି ଘଟିବା ଆଶଙ୍କା ରହିଛି। ସବୁଠୁ ମୁଖ୍ୟ କଥା ହେଲା ମ୍ୟାଙ୍ଖୁଟ୍‌ ନିଜ ସହିତ ପ୍ରବଳ ଝଡ଼ତୋଫାନ ଓ ବର୍ଷା ଆଣି ଆସିଛି। ଏଥିରୁ ରକ୍ଷା ପାଇବା ମୁସ୍କିଲ ବ୍ୟାପାର ହୋଇପଡ଼ିବ। ପ୍ରତିକାର ପଦକ୍ଷେପ ସ୍ୱରୂପ ଚୀନ୍‌ କର୍ତ୍ତୃପକ୍ଷ ୪୮,୦୦୦ ମାଛଧରା ନୌକା ପ୍ରସ୍ତୁତ ରଖିଥିବା ବେଳେ ୬୩୨ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରିଦିଆଯାଇଛି। ୩,୭୭୭ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ୧,୦୦୦ଟି ଜୀବନ ରକ୍ଷାକାରୀ ବୋଟ୍‌ ମଧ୍ୟ ପ୍ରସ୍ତୁତ ରହିଛି।

ସମ୍ବନ୍ଧିତ ଖବର