ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତବାସୀଙ୍କ ମଧ୍ୟରେ ସଂପର୍କ ଯୋଡ଼ୁଛି ମାନକୁଣ୍ଡା ହାଟ

ଦେଉଳା(ବିଶ୍ୱଜିତ ମହାନ୍ତି): ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ରେ ଏମିତି ଏକ ହାଟ ଅଛି, ଯାହା ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟର ସୀମାନ୍ତବାସୀଙ୍କ ଅର୍ଥନୈତିକ ଓ ସାମାଜିକ ଜୀବନକୁ ଋଦ୍ଧିମନ୍ତ କରୁଛି। ସେହି ହାଟ ହେଉଛି; ଅନଳିଆ ପଞ୍ଚାୟତ ମାନକୁଣ୍ତା ସାପ୍ତାହିକ ହାଟ। କିଣାବିକା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟର ବ୍ୟବସାୟୀ ଓ ଜନସାଧାରଣ ଏଠାକୁ ଆସନ୍ତି। ହାଟ ୧ ଏକର ଜାଗାରେ ରହିଛି। ଯାହା ସୋମବାର ଓ ଶୁକ୍ରବାର ଅପରାହ୍ନରେ ଏବଂ ବୁଧବାର ଓ ଶନିବାର ପୂର୍ବାହ୍ନରେ ବସିଥାଏ। ଉପଲବ୍‌ଧ ହେଉଥିବା ମାନକୁଣ୍ତା ଗ୍ରାମର କୁଶଳୀ କୁମ୍ଭକାରମାନଙ୍କ ମାଟିପାତ୍ର ଏବଂ ସ୍ଥାନୀୟ ଚାଷୀଙ୍କ ଦ୍ବାରା ଉତ୍ପାଦିତ ପାନ ଏହି ହାଟର ମୁଖ୍ୟ ଆକର୍ଷଣ। ହାଟରେ ଶତାଧିକ ସ୍ଥାୟୀ ଓ ୮୦ରୁ ଅଧିକ ଉଠା ଦୋକାନୀ ସେମାନଙ୍କ ପସରା ମେଲାନ୍ତି। ଦୀର୍ଘ ୩୫ ବର୍ଷ ହେଲା ଏହି ହାଟ ଚାଲିଛି।

ହାଟ ଯୋଗୁ ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟର ସୀମାନ୍ତବାସୀଙ୍କ ଅର୍ଥନୈତିକ ବିକାଶ ହେଉଛି। ତା’ ସହିତ ଭାଇଚାରା ଓ ଆତ୍ମୀୟ ସଂପର୍କ ନିବିଡ଼ ହେବାରେ ଲାଗିଛି। ହାଟରେ ଉଭୟ ରାଜ୍ୟର ଲୋକଙ୍କ ସହଯୋଗିତାରେ କାଳୀପୂଜା, ମୈତ୍ରୀ ଉତ୍ସବ, କ୍ରିକେଟ୍‌ ପ୍ରତିଯୋଗିତା, ନୀଳରୁଦ୍ରେଶ୍ବର ପାଟପର୍ବ ଆଦି ଆୟୋଜିତ ହୋଇଆସୁଛି। ୨୦୧୪ ମସିହା ପାଖରୁ ହାଟକୁ ସରକାର ନିଲାମ ଦେଉଛନ୍ତି। ୨୦୨୩-୨୦୨୪ ଆର୍ଥିକ ବର୍ଷ ପାଇଁ ଭୋଗରାଇ ତହସିଲ ପକ୍ଷରୁ ୩୪ ହଜାର ଟଙ୍କାରେ ହାଟ ନିଲାମ ଦିଆଯାଇଛି। ଓଡ଼ିଶା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ହାଟ ପରିସରରେ ୧୪ଟି ଦୋକାନଘର ଏବଂ କାଳୀ ମନ୍ଦିର, ହନୁମାନ ମନ୍ଦିର, ଖେଳପଡ଼ିଆ, ବିଶ୍ରାମାଗାର ଓ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ସରକାର ୪୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି। ଗୁରୁତ୍ବ ଦୃଷ୍ଟିରୁ ହାଟର ଯେତିକି ବିକାଶ ହୋଇଛି, ତାହା ଯଥେଷ୍ଟ ନୁହେଁ। ଏଠାରେ ବିକାଶକୁ ଆହୁରି ଆଗକୁ ନେବା ପାଇଁ ହେବ। ସେପରି ହେଲେ ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟର ସୀମାନ୍ତବାସୀଙ୍କ ଅର୍ଥନୈତିକ ବିକାଶରେ ଡେଣା ଲାଗିବା ସହ ସାମାଜିକ ଜୀବନ ଅଧିକ ମାର୍ଜିତ ଓ ଶୃଙ୍ଖଳିତ ହୋଇପାରିବ ବୋଲି ବଜାର କମିଟିର ସଭାପତି ତଥାଗତ ମିଶ୍ର, ଘନଶ୍ୟାମ ପାଢ଼ୀ, ରାମଚନ୍ଦ୍ର ବେହେରା, ପ୍ରଦୀପ ସେଠୀ, ଦେବାଶିଷ ଦ୍ୱିବେଦୀ ପ୍ରମୁଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର