ମନମୋହନ ଓ ପାଵାର ନିର୍ବାଚନ ଲଢ଼ିବେନି

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଏବଂ ଏନ୍‌ସିପି ମୁଖ୍ୟ ଶରଦ ପାଵାର ଚଳିତ ଲୋକସଭା ନିର୍ବାଚନ ଲଢ଼ିବେନି। ପଞ୍ଜାବର ଅମୃତସରରୁ ନିର୍ବାଚନ ଲଢ଼ିବା ପାଇଁ ମନମୋହନଙ୍କୁ କଂଗ୍ରେସ ପକ୍ଷରୁ ବାରମ୍ବାର ଅନୁ‌ରୋଧ କରାଯାଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଥିବା ୮୬ ବର୍ଷୀୟ ମ‌ନମୋହନ ବୟସାଧିକ୍ୟ ଦୃଷ୍ଟିରୁ ନିର୍ବାଚନ ଲଢ଼ିବା ପାଇଁ ଅନିଚ୍ଛ‌ା ପ୍ରକାଶ କରିଛନ୍ତି। ପ୍ରଚାର କାର୍ଯ୍ୟରେ ସେ ସାମିଲ ହୋଇପାରିବେନି ବୋଲି କହିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ନିଜେ ତାହା ସମ୍ଭାଳିବେ ବୋଲି ପ୍ରସ୍ତାବ ଦେଇଥିଲେ। ମାତ୍ର ମନମୋହନ ଏହାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ୭୮ ବର୍ଷୀୟ ପାଵାର ଲୋକସଭା ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ ଘୋଷଣା କରିଥିଲେ ହେଁ ସେ ଦକ୍ଷିଣପଶ୍ଚିମ ମହାରାଷ୍ଟ୍ରର ମାଧା ଆସନରୁ ଲଢ଼ିବେ ବୋଲି ଗତ ମାସରେ ଏନ୍‌ସିପି ପକ୍ଷରୁ ଘୋଷଣା କରାଯାଇଥିଲା ‌‌। ପାୱାର ମଧ୍ୟ ସେଥିରେ ସହମତି ପ୍ରକାଶ କରିଥିଲେ। ମାତ୍ର ପୁଣିଥରେ ସେ ତାଙ୍କ ନିଷ୍ପତ୍ତି ବଦଳାଇ ଆଉ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେନି ବୋଲି ସ୍ପଷ୍ଟ କରିଛନ୍ତି। ଅତୀତରେ ସେ ୧୪ ଥର ନିର୍ବାଚନ ଲଢ଼ି ସାରିଛନ୍ତି। ଏଥର ତାଙ୍କ ପରିବାରରୁ ଦୁଇ ଜଣ(ତାଙ୍କ ଝିଅ ସୁପ୍ରିୟା ଓ ସମ୍ପର୍କୀୟ ନାତି ପାର୍ଥ) ନିର୍ବାଚନ ଲଢ଼ୁଥିବାରୁ ସେ ଆଉ ଲଢ଼ିବାକୁ ଉଚିତ୍‌ ମନେ କରୁନଥିବା କହିଛନ୍ତି।

ସମ୍ବନ୍ଧିତ ଖବର