ଦଳିତ, ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର ବଢୁଛି: ମନମୋହନ

ନୂଆଦିଲ୍ଲୀ: ଦେଶରେ ଦଳିତ, ଅନୁସୂଚିତ ଜାତି/ଜନଜାତି ଏବଂ ସଂଖ୍ୟାଲଘୁଙ୍କ କ୍ଷେତ୍ରରେ ଅତ୍ୟାଚାର ବଢ଼ୁଛି । ସେମାନଙ୍କ ପ୍ରତି ହେଉଥିବା ନିର୍ଯାତନାରେ ଲଗାମ ନ ଲାଗିଲେ ଏହା ଦେଶର ଗଣତନ୍ତ୍ର ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ କହିଛନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ‘ସ୍ୱାଧୀନତାର ୭୦ବର୍ଷ ପୂର୍ତ୍ତି’ ପ୍ରସଙ୍ଗରେ ଉଦ୍‌ବୋଧନରେ ଦେବା ଅବସରରେ ମନମୋହନ କହିଛନ୍ତି ଯେ ଭାରତରେ ଧର୍ମ, ଜାତି, ସଂସ୍କୃତି ଓ ଭାଷାକୁ ନେଇ ଏବେ ଯେଭଳି ଭାବେ ବିଭାଜନ ଚାଲିଛି ତାହା ଘୋର ଚିନ୍ତାର ବିଷୟ। ଏଥିରେ ଲଗାମ ନ ଲାଗିଲେ ବିବିଧତା ଭିତରେ ଏକତା ବଜାୟ ରଖିବାରେ ସମସ୍ୟା ଉପୁଜିବ। ଦେଶବାସୀ ବିଭାଜନକାରୀ ଯୋଜନା ଓ ରାଜନୀତି ଉଭୟକୁ ପ୍ରତ୍ୟାଖ୍ୟାନ କରିବା ଉଚିତ ବୋଲି ସେ କହିଛନ୍ତି। ସ୍ୱାଧୀନତାର ଅର୍ଥ କେବଳ ସରକାରଙ୍କ ସ୍ୱାଧୀନତା ନୁହେଁ, ଏହି ସ୍ୱାଧୀନତା ଦେଶର ସମସ୍ତ ଜନତାଙ୍କର ହେବା ଉଚିତ ବୋଲି ମନମୋହନ କହିଛନ୍ତି। ଲୋକେ ଯେଭଳି ସରକାରଙ୍କୁ ବିନା ଦ୍ୱିଧାରେ ପ୍ରଶ୍ନ କରିପାରିବେ ଏବଂ ବିଭିନ୍ନ ମାମଲାରେ ସେମାନଙ୍କ ପରାମର୍ଶ ଓ ଅସନ୍ତୋଷ ବ୍ୟକ୍ତି କରିପାରିବେ ସେ ଦିଗରେ କୌଣସି ପ୍ରତିବନ୍ଧକ ରହିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର