ମୋଦିଙ୍କ ବିରୋଧରେ ଫେରାଦ ହେଲେ ମନମୋହନ:ରାଷ୍ଟ୍ରପତିଙ୍କୁ ଚିଠି

ପ୍ରଧାନମନ୍ତ୍ରୀଙ୍କ ଭାଷା ଧମକପୂର୍ଣ୍ଣ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ସମେତ କିଛି ବରିଷ୍ଠ କଂଗ୍ରେସ ନେତା ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷା ଧମକପୂର୍ଣ୍ଣ ଏବଂ ଅଯୌକ୍ତିକ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି। କଂଗ୍ରେସ ନେତାଙ୍କ ବିରୋଧରେ ସେ ବ୍ୟବହାର କରୁଥିବା ଭାଷା ଜଣେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆଦୌ ଶୋଭନୀୟ ନୁହେଁ ବୋଲି ଏଥିରେ କୁହାଯାଇଛି। ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ବୃହତ୍ତମ ବିରୋଧୀ ଦଳକୁ ଟାର୍ଗେଟ କରି ଦେଶର ପ୍ରଧାନମନ୍ତ୍ରୀ ଯେଉଁଭଳି ଭାବେ ବାକ୍‌ ଆକ୍ରମଣ କରୁଛନ୍ତି ତାହା କଳ୍ପନା ବାହାରେ ବୋଲି ମନମୋହନ ଏହି ଚିଠିରେ ଉଲ୍ଲେଖ କରିଛନ୍ତି।

ଏହାଛଡ଼ା କଂଗ୍ରେସ ନେତାଙ୍କୁ ସର୍ବ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଧମକ ଓ ଚେତାବନୀ ମଧ୍ୟ ଦେଉଛନ୍ତି ବୋଲି ଏହି ଚିଠିରେ ଉଲ୍ଳେଖ ରହିଛି। ଗତ ୬ ତାରିଖରେ କର୍ଣ୍ଣାଟକର ହୁବଲୀଠାରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ‘କଂଗ୍ରେସ ନେତା ଧ୍ୟାନ ଦେଇ ଶୁଣ, ଯଦି ତୁମେ ସୀମା ଉଲ୍ଲଂଘନ କରିବ ତା’ହେଲେ ଭୁଲି ଯାଅନାହିଁ ଯେ ମୁଁ ହେଉଛି ମୋଦି, ତୁମକୁ ମଧ୍ୟ ମୂଲ୍ୟ ଦେବାକୁ ପଡ଼ିବ।’ ଏହି ଚିଠିରେ ଏହା ମଧ୍ୟ ଉଲ୍ଳେଖ କରାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ଏଭଳି ଧମକରେ କଂଗ୍ରେସ ଦଳ କିମ୍ବା ଏହାର କୌଣସି ନେତା ଭୟଭୀତ ହୋଇନାହାନ୍ତି। ରାଷ୍ଟ୍ରପତିଙ୍କୁ ଚିଠି ପ୍ରଦାନ ପୂର୍ବରୁ ମଧ୍ୟ ବେଙ୍ଗାଲୁରୁରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ସିଂହ ମୋଦିଙ୍କୁ ତାଙ୍କ ଭାଷଣ ପାଇଁ କଡ଼ା ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର