କର୍ତ୍ତାରପୁର କରିଡରର ଉଦ୍‌ଘାଟନ ଉତ୍ସବରେ ଯୋଗ ନ ଦେଇ ପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ

ନୂଆଦିଲ୍ଲୀ: କର୍ତ୍ତାରପୁର କରିଡରର ଉଦ୍‌ଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଦଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ଡ.ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିବା ପାଇଁ ପାକିସ୍ତାନର ଇମ୍ରାନ୍‌ ଖାନ୍‌ଙ୍କ ନେତୃତ୍ୱାଧୀନ ସରକାର ନିଷ୍ପତ୍ତି ନେଇଥିବା ଗଣମାଧ୍ୟମକୁ କହିଛନ୍ତି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ। ଯେହେତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ ଶିଖ ସଂପ୍ରଦାୟର ତେଣୁ ତାଙ୍କୁ ଆମ‌େ ନିମନ୍ତ୍ରଣ କରୁଛୁ ବୋଲି କହିଛନ୍ତି କ୍ୟୁରେସୀ। ମାତ୍ର କଂଗ୍ରେସ  ଦଳର ଭିତିରି ସୂତ୍ରରୁ ଜାଣିବାକୁ ମିଳିଛି କି ପାକିସ୍ତାନର ନିମନ୍ତ୍ରଣକୁ ଡ.ସିଂ ଗ୍ରହଣ ନ କରିବାର ସମ୍ଭାବନା ରହିଛି। ନଭେମ୍ବର ୯ ତାରିଖରେ ହେବାକୁ ଥିବା  ଏହି  ଉତ୍ସବରେ ସେ ଯୋଗ ନ ଦେଇ ପାରନ୍ତି ବୋଲି କଂଗ୍ରେସ ପକ୍ଷରୁ ସୂଚନା ମିଳିଛି।

Image Source: Zee News

ଉଲ୍ଲେଖଯୋଗ୍ୟ, ଉଭୟ ଭାରତ ଓ ପାକିସ୍ତାନ ସରକାର ମିଳିତ ଭାବେ ଏହି କର୍ତ୍ତାରପୁର କରିଡରକୁ ନିର୍ମାଣ କରିଛନ୍ତି। ପାକିସ୍ତାନର କର୍ତ୍ତାରପୁରରେ ଅବସ୍ଥିତ ଗୁରୁ ନାନକ ଦେବଙ୍କ ଶେଷ ଆଶ୍ରୟ ସ୍ଥଳ ସହ ଭାରତର ପଞ୍ଜାବ ରାଜ୍ୟର ଗୁରୁଦାସପୁର ଜିଲ୍ଲାରେ ରହିଥିବା ଡେରା ବାବା ନାନକଙ୍କ ଗୁରୁଦ୍ୱାରାକୁ ଯୋଡ଼ିବା ଲକ୍ଷ୍ୟରେ ଏହି କର୍ତ୍ତାରପୁର କରିଡରର ନିର୍ମାଣ କରାଯାଇଛି। ଭାରତୀୟ ତୀର୍ଥଯାତ୍ରୀମାନେ ଗୁରୁଦାସପୁର ଡେରା ବାବା ନାନକ ଗୁରୁଦ୍ୱାରା ଠାରୁ ମାତ୍ର ୪ କିଲୋମିଟର ଦୂରରେ ପାକିସ୍ତାନର ନାରୋଓ୍ଵାଲ ଜିଲ୍ଲାରେ ରାବି ନଦୀ କୂଳରେ ଅବସ୍ଥିତ କର୍ତ୍ତାରପୁରର ଗୁରୁ ନାନକ ଦେବଙ୍କ ଶେଷ ଆଶ୍ରୟ ସ୍ଥଳକୁ ବିନା ଭିସାରେ ଏହି କରିଡର ବାଟଦେଇ ଦର୍ଶନ ଉଦ୍ଦେଶ୍ୟରେ ଯାଇପାରିବେ।

ତେବେ ଭାରତ- ପାକ୍‌ ସୀମାନ୍ତରୁ କର୍ତ୍ତାରପୁରର ଦରବାର ସାହିବ୍‌ ଗୁରୁଦ୍ୱାର ପର୍ଯ୍ୟନ୍ତ ରାସ୍ତା (କରିଡର)କୁ ପାକିସ୍ତାନ ସରକାର ନିର୍ମାଣ କରିଥିବା ବେଳେ ପଞ୍ଜାବର ଗୁରୁଦାସପୁର ଡେରା ବାବା ନାନକ ଗୁରୁଦ୍ୱାରା ଠାରୁ ଭାରତ- ପାକ୍‌ ସୀମାନ୍ତ ରାସ୍ତାକୁ ଭାରତ ସରକାର ନିର୍ମାଣ କରିଛନ୍ତି। ଏହି କରିଡରକୁ ଆସନ୍ତା ନଭେମ୍ବର ମାସରେ ପାଳିତ ହେବାକୁ ଥିବା ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଉଦ୍‌ଘାଟନ କରାଯିବାକୁ ଯୋଜନା ରହିଛି।

ସମ୍ବନ୍ଧିତ ଖବର