ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୧୨ ବର୍ଷ ପୁରୁଣା ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ ରାଜନୀତି ତୀବ୍ର ହୋଇଛି।
ମନମୋହନ ସିଂହ ୨୦୧୩ରେ ରାହୁଲ ଗାନ୍ଧୀଙ୍କ ବିଷୟରେ କରିଥିବା ପୋଷ୍ଟକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି)ର ନେତାମାନେ କଂଗ୍ରେସ ଉପରେ କଡ଼ା ବାକ୍ ଆକ୍ରମଣ କରିଛନ୍ତି।ବିଜେପି ନେତାମାନେ ଏହି ୧୨ ବର୍ଷ ପୁରୁଣା ପୋଷ୍ଟକୁ ଏପରି ଏକ ସମୟରେ ସେୟାର କରିଛନ୍ତି ଯେତେବେଳେ କଂଗ୍ରେସ ଦଳ ଆପତ୍ତିଜନକ ବୟାନ ପାଇଁ ବିବାଦରେ ଫସି ରହିଛି।
ଗୁଜରାଟର ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି ୨୦୧୩ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ଟୁଇଟର)ରେ କରାଯାଇଥିବା ପୋଷ୍ଟର ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି। ଏହି ସ୍କ୍ରିନସଟ ସହିତ ସାଂଘଭି ଲେଖିଛନ୍ତି, "୧୨ ବର୍ଷ ପୂର୍ବେ ଆମ ଦେଶର ଅବସ୍ଥା କ'ଣ ଥିଲା ଯେ ପିଏମଓ ଇଣ୍ଡିଆର ଟ୍ୱିଟର ଆକାଉଣ୍ଟରୁ ଏପରି ଜିନିଷ ଟ୍ୱିଟ କରାଯାଉଥିଲା?"
୨୦୧୩ ମସିହାରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ବେଳେ ରାହୁଲ ଗାନ୍ଧୀଙ୍କ ପାଇଁ ଏହି ପୋଷ୍ଟ ଲେଖିଥିଲେ, ଯେଉଁଥିରେ କୁହାଯାଇଥିଲା, "ମୁଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ପାଇଁ କାମ କରିବାକୁ ନେଇ ଖୁସି ହେବି।"
ଜାନୁଆରି ୨୦୧୩ରେ ରାହୁଲ ଗାନ୍ଧୀଙ୍କୁ ଭାରତୀୟ ଜାତୀୟ କଂଗ୍ରେସର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା।