ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାର ମୁକାବିଲା ନେଇ ମୋଦୀଙ୍କୁ ମନ୍ତ୍ର ‌ଦେଲେ ମନମୋହନ

୬ ସୂତ୍ରୀ ଫର୍ମୁଲା

୧. ଜିଏସ୍‌ଟି ସରଳୀକରଣ: ଅଳ୍ପ ସମୟ ପାଇଁ ରାଜସ୍ବ ହାନି ହେଉପଛେ ଜିଏସ୍‌ଟିକୁ ଆହୁରି ସରଳ କର।
୨. କୃଷି କ୍ଷେତ୍ରର ପୁନରୁଦ୍ଧାର: ଗ୍ରାମାଞ୍ଚଳରେ ଉପଯୋଗିତା ବଢ଼ାଇବା ଏବଂ କୃଷି କ୍ଷେତ୍ରର ପୁନରୁଦ୍ଧାର ଲାଗି ସରକାରଙ୍କୁ ପଦକ୍ଷେପ ନେବାକୁ ହେବ
୩. ପୁଞ୍ଜି ସୃଷ୍ଟି: ଦେଶରେ ପୁଞ୍ଜି ସୃଷ୍ଟି କରିବା ଲାଗି ଋଣର ଯେଉଁ ଅଭାବ ଦେଖାଦେଇଛି ତାହାର ମୁକାବିଲା କରିବାକୁ ପଡ଼ିବ। କାରଣ କେବଳ ସରକାରୀ ବ୍ୟାଙ୍କ ନୁହେଁ,ଏନ୍‌ବିଏଫ୍‌ସିଗୁଡ଼ିକ ମଧ୍ୟ ସମସ୍ୟା ଦେଇ ଗତି କରୁଛନ୍ତି।
୪. ନିଯୁକ୍ତି କୈନ୍ଦ୍ରୀକ କ୍ଷେତ୍ରର ପୁନରୁଦ୍ଧାର: ବୟନ, ଗାଡ଼ି, ଇଲେକ୍ଟ୍ରୋନିକ୍ସ ଓ ସୁଲଭ ବାସଗୃହ ଭଳି ‌ନିଯୁକ୍ତି କୈନ୍ଦ୍ରୀକ କ୍ଷେତ୍ରର ପୁନରୁଦ୍ଧାର କରିବାକୁ ହେବ ଏବଂ ଏମ୍‌ଏସ୍‌ଏମ୍‌ଇକୁ ପ୍ରାଥମିକତା ଭିତ୍ତିରେ ଋଣ ଆବଣ୍ଟନକୁ ନିଶ୍ଚିତ କରିବାକୁ ହେବ।
୫. ରପ୍ତାନି ଅଭିବୃଦ୍ଧି: ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଲଢ଼େଇ ଯୋଗୁଁ ରପ୍ତାନି ବଜାରରେ ଯେଉଁ ସୁଯୋଗ ସୃଷ୍ଟି ହୋଇଛି ତାହାକୁ ହାତେଇବା ଲାଗି ବାଟ ବାହାର କରିବାକୁ ପଡ଼ିବ
୬. ଭିତ୍ତିଭୂମି ବିକାଶ: ଘରୋଇ ନିବେଶ ସହାୟତାରେ ଭିତ୍ତିଭୂମି ବିକାଶକୁ ବ୍ୟାପକ କରିବାକୁ ପଡ଼ିବ।

ନୂଆଦିଲ୍ଲୀ : ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାର ମୁକାବିଲା ନେଇ କେନ୍ଦ୍ର ସରକାର ଯେଉଁଭଳି ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି ତାହାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ-୨ ସରକାରଙ୍କୁ ଚେତାବନୀ ଦେଇ ସେ କହିଛନ୍ତି ଯେ, ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଉଦ୍ୟମ ନ କରି ଦେଶ ସାମ୍ନା କରୁଥିବା ଆର୍ଥିକ ଆହ୍ବାନଗୁଡ଼ିକର କିଭଳି ମୁକାବିଲା କରିହେବ ସେଥିପ୍ରତି ଧ୍ୟାନ ଦିଅ।

ଏକ ଇଂରାଜୀ ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ ମନମୋହନ କହିଛନ୍ତି ଯେ, ଦେଶ ମାନ୍ଦାବସ୍ଥା କବଳରେ ପଡ଼ିଛି ବୋଲି ସରକାର ସ୍ବୀକାର କରିବାକୁ ପ୍ରସ୍ତୁତ ନାହାନ୍ତି। କିନ୍ତୁ ଅଧିକ ଦିନ ଏହାକୁ ଆମେ ଅସ୍ବୀକାର କରିପାରିବା ନାହିଁ। ମାନ୍ଦାବସ୍ଥା ମୁକାବିଲା ଦିଗରେ ପୂର୍ବରୁ ବହୁ ସମୟ ଅପଚୟ ହୋଇଗଲାଣି। କେବଳ ରାଜନୈତିକ ଦୃଷ୍ଟିକୁ ଧ୍ୟାନରେ ରଖି ‌ବିଭିନ୍ନ କ୍ଷେତ୍ରକୁ ଅଲଗା ଅଲଗା ପ୍ରୋତ୍ସାହନ କିମ୍ବା ପ୍ୟାକେଜ ପ୍ରଦାନ କରିବା ବ୍ୟର୍ଥ ଯିବ। ବିମୁଦ୍ରୀକରଣ ଭଳି ଐତିହାସିକ ଭୁଲ କରିବା ବଦଳରେ ସରକାରଙ୍କୁ ଅର୍ଥନୀତିରେ ଢାଞ୍ଚାଗତ ସଂସ୍କାର ଆଣିବା ଲାଗି ଦୃଷ୍ଟି ଦେବାକୁ ପଡ଼ିବ। ଏଥିପାଇଁ ପଦକ୍ଷେପ ଗ୍ରହଣ କରିବାର ସମୟ ଆସିଗଲାଣି ବୋଲି ମନମୋହନ କହିଛନ୍ତି।

ଅର୍ଥନୀତିକୁ ମାନ୍ଦାବସ୍ଥା କବଳରୁ ମୁକୁଳାଇବା ପାଇଁ ମନମୋହନ ମୋଦୀ ସରକାରଙ୍କୁ ୬ଟି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଜିଏସ୍‌ଟିରେ ସରଳୀକରଣ, କୃଷି କ୍ଷେତ୍ରର ପୁନରୁଦ୍ଧାର, ଦେଶରେ ନୂଆ ପୁଞ୍ଜି ସୃଷ୍ଟି କରିବା ପାଇଁ ଉଦ୍ୟମ କରିବା, ବ୍ୟାପକ ନିଯୁକ୍ତି ସୁଯୋଗ ପ୍ରଦାନ କରୁଥିବା କ୍ଷେତ୍ରଗୁଡ଼ିକର ପୁନରୁଦ୍ଧାର, ରପ୍ତାନି ବଜାରକୁ ବ୍ୟାପକ କରିବା ଓ ଭିତ୍ତିଭୂମିରେ ନିବେଶ ପରିମାଣ ବଢ଼ାଇବାକୁ ସେ ସରକାରକୁ ପରାମର୍ଶ ଦେଇଛନ୍ତି।

ଏହି ପରାମର୍ଶ ଦେବା ସହିତ ସେ ‌ମୋଦୀ ସରକାରଙ୍କୁ ମନେ ପକାଇ ଦେଇଛନ୍ତି ‌ଯେ ତୁମକୁ ଭୋଟର ଥରେ ନୁହେଁ, ଦୁଇ ଦୁଇ ଥର ବହୁମତ ପ୍ରଦାନ କରିଛନ୍ତି। ଏହାକୁ ସରକାର ହାଲୁକା ଭାବେ ନେବା ଉଚିତ ନୁହେଁ। ସେ ନିଜେ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରୁଥିବାବେଳେ ଏଭଳି ବହୁମତ ବିନା କିଭଳି ୧୯୯୧ର ଅର୍ଥନୈତିକ ସଙ୍କଟ ଏବଂ ୨୦୦୮ର ବିଶ୍ବ ମାନ୍ଦାବସ୍ଥାକୁ ସଫଳତାର ସହ ମୁକାବିଲା କରିଥିଲେ ତାହା ମୋଦୀ ସରକାରଙ୍କୁ ମନେ ପକାଇ ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଥମେ ଅର୍ଥନୀତିରେ ମାନ୍ଦାବସ୍ଥା ଅଛି ବୋଲି ସରକାରଙ୍କୁ ସ୍ବୀକାର କରିବାକୁ ହେବ। ଏହା ପରେ ହିଁ ତାହାର ସମାଧାନ ବାଟ ବାହାରି ପାରିବ। ସଙ୍କଟକୁ ସ୍ବୀକାର କରିବା ସମାଧାନର ପ୍ରଥମ ପାହାଚ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ବିଭିନ୍ନ ସମସ୍ୟାକୁ ପାରଦର୍ଶିତା‌ର ସହ ସମାଧାନ କରିବା ଲାଗି ସରକାରଙ୍କୁ ପଦକ୍ଷେପ ନେବାକୁ ହେବ। ବିଶେଷଜ୍ଞ ଓ ଅର୍ଥନୀତିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖୁଥିବା ବ୍ୟକ୍ତିମାନଙ୍କ କଥାକୁ ଭଲ ଭାବେ ଶୁଣିବାକୁ ପଡ଼ିବ ଏବଂ ସଙ୍କଟର ମୁକାବିଲା ଲାଗି ଠୋସ୍‌ ଆଭିମୁଖ୍ୟ ପ୍ରଦର୍ଶନ କରିବାକୁ ହେବ। ଲୋକଙ୍କ ଉପରେ ସରକାରଙ୍କୁ ବିଶ୍ବାସ କରିବାକୁ ପଡ଼ିବ ଏବଂ ଦେଶର ଅର୍ଥନୀତି ବିଷୟରେ ସାରା ଦୁନିଆକୁ ଏକ ଦୃଢ଼ ବାର୍ତା ଦେବାକୁ ପଡ଼ିବ। କିନ୍ତୁ ମୋଦୀ ସରକାରଙ୍କ ତରଫରୁ ଏଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ସେ ‌ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର