କରୋନା ସଂକ୍ରମିତ ହୋଇନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ କରୋନା ସଂକ୍ରମିତ ହୋଇନଥିବା ଜଣାପଡ଼ିଛି ।
ଗତକାଲି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏକ ଔଷଧର ପାଶ୍ୱର୍ ପ୍ରତିକ୍ରିୟା ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିବା କୁହାଯାଉଛି । ଏମ୍ସରେ ଭର୍ତ୍ତି ହେବା ପରେ ଏହି ସମୟରେ ତାଙ୍କର ସ୍ୱାବ ନମୁନା ନିଆଯାଇଥିଲା । ପରୀକ୍ଷାରୁ ତାହା ନେଗେଟିଭ ଥିବା ଜଣାପଡ଼ିଛି ।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିଲେ ମଧ୍ୟ ତାଙ୍କୁ ଏମ୍ସରେ ପର୍ଯ୍ୟବେକ୍ଷଣରେ ରଖାଯାଇଛି । ତାଙ୍କୁ ଏମ୍ସର କାର୍ଡିଓ-ଥୋରାସିକ ସାଇନ୍ସେସ ସେଣ୍ଟରରେ ରଖାଯାଇଛି । ତେବେ ତାଙ୍କୁ ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ ହସପିଟାଲରୁ ଛାଡ଼ିଦିଆଯିବାର ସମ୍ଭାବନା ରହିଛି ବୋଲି ଏମ୍ସ ସୁତ୍ରରୁ ଜଣାପଡ଼ିଛି ।
ଡଃ ମନମୋହନ ସିଂ ଏବେ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ରହିଛନ୍ତି । ସେ ୨୦୦୪ରୁ ୨୦୦୯ ଓ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ପୂର୍ବରୁ ତାଙ୍କର ଦୁଇଥର ହୃଦୟ ଅସ୍ତ୍ରୋପଚାର ହୋଇଛି । ୧୯୯୦ରେ ବ୍ରିଟେନରେ ତାଙ୍କର ବାଇପାସ ସର୍ଜରୀ ଓ ୨୦୦୪ରେ ତାଙ୍କର ଆଂଜିଓପ୍ଲାଷ୍ଟି ହୋଇଥିଲା ।

ସମ୍ବନ୍ଧିତ ଖବର