ନୂଆଦିଲ୍ଲୀ :  ଏଲଏସିରେ ଭାରତ ଓ ଚୀନ ସେନା ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି କଂଗ୍ରେସ ସରକାର ଅମଳରେ ଏପରି ଘଟଣା ଘଟିଥିଲେ ଡ.ମନମୋହନ ସିଂ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଇଥାନ୍ତେ ।

Advertisment

ଜୟପୁରଠାରେ ଅନୁଷ୍ଠିତ କଂଗ୍ରେସ କର୍ମୀଙ୍କ ଏକ ବୈଠକକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ମନମୋହନଙ୍କ ଅମଳରେ ଚୀନ ଭାରତୀୟ ଅଞ୍ଚଳ ଜବରଦଖଲ କରିଥିଲେ, ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଇଥାନ୍ତେ । ମୋଦୀଙ୍କ ଅମଳରେ ଚୀନ ଭାରତୀୟ ଅଞ୍ଚଳକୁ ଜବରଦଖଲ କରିଛି, କିନ୍ତୁ ମୋଦୀ ଏବେ ବି ଏହି ଘଟଣାକୁ ଲୁଚାଇଚାଲିଛନ୍ତି ।

ରାହୁଲ ମଧ୍ୟ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)କୁ ସମାଲୋଚନା କରି କହିଛନ୍ତି ଯେ ଏହି ସଂଗଠନ ସବୁବେଳେ ଦେଶରେ ଘୃଣା ବାଣ୍ଟିଚାଲିଛି । ଏହାର ମୁକାବିଲା କରିବାକୁ ହେଲେ ଆମକୁ (କଂଗ୍ରେସକୁ) ପ୍ରେମ ଓ ସଦ୍ଭାବର ପ୍ରସାର କରିବାକୁ ହେବ । ବିଜେପିର ଛଦ୍ମ ରାଷ୍ଟ୍ରବାଦର ପର୍ଦ୍ଦାଫାସ କରିବା ସହ କଂଗ୍ରେସର ନୀତି ଓ ଆଦର୍ଶ ଯେପରି ଦେଶର କୋଣଅନୁକୋଣରେ ପହଞ୍ଚିବ ସେ ଦିଗରେ କାମ କରିବାକୁ ସେ କଂଗ୍ରେସ କର୍ମୀମାନଙ୍କୁ ଆହ୍ବାନ ଜଣାଇଛନ୍ତି ।

ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ଯେ ବିଜେପିର କିଛି ସଫଳତା ଦେଖାଇବାକୁ ନାହିଁ, ଏଣୁ ଧର୍ମକୁ ନେଇ ରାଜନୀତି କରୁଛି ।